Latest Odisha News

ବଡ଼ ଖବର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରୁ ଓହରିବ ସଂଘ!

ଝାରସୁଗୁଡା (କେ. ରୋସନ ପୃଷ୍ଟି): ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରୁ ଓହରିବ ଓକିଲ ସଂଘ। ଏପରି ଏକ ପ୍ରସ୍ତାବ ଦୁଇ ଦିନ ତଳେ ଝାରସୁଗୁଡା ଜିଲ୍ଲାରେ ଓକିଲଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୨ରୁ ୨୯ ଜଣ ଓକିଲ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କ ଜାମିନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକତ୍ରିତ ହୋଇଥିଲେ ପଶ୍ଚିମ ଓଡିଶାର ୩୭ ଟି ବାର ଓକିଲ। ଏହି ବୈଠକରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରୁ ଓହରିବାକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି।

ଝାରସୁଗୁଡା ଜିଲ୍ଲା ବାର ସଭାପତି ତ୍ରିଲୋଚନ ତ୍ରିନାଥ ଗୋଲ୍ କହିଛନ୍ତି, ଓକିଲ ମାନେ ଜେଲରେ ଅଛନ୍ତି । ସେମାନେ କିଭଳି ଜାମିନରେ ମୁକୁଳିବେ ସେ ନେଇ ଆଲୋଚନା ହୋଇଛି। ଦୀର୍ଘ ଦିନ ହେବ ଓକିଲ ମାନେ ଜେଲରେ ଥିବା ସମ୍ବଲପୁର ଜେଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସମ୍ବଲପୁର ବାରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବାକୁ ଆବଶ୍ୟକ ହେଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନରୁ ଓକିଲ ମାନେ ଓହରିବାକୁ ପ୍ରସ୍ତୁତ। କିନ୍ତୁ ଏହି ପ୍ରସଙ୍ଗରେ ଶେଷ ନିଷ୍ପତ୍ତି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନେବାକୁ ପ୍ରସ୍ତାବ ଦିଆଯାଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ। ହେଲେ ନିଜ ଜିଦରେ ଅଟଳ ରହି ପଶ୍ଚିମ ଓଡ଼ିଶାର ଓକିଲ ମାନେ ପ୍ରତି ବୁଧବାର କୋର୍ଟ ଆଗରେ ପ୍ରତିବାଦ କରୁଥିଲେ। ପରେ ଏହା ହିଂସାରେ ପରିଣତ ହୋଇଥିଲା। କୋର୍ଟ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ପରେ ୨୯ ଓକିଲ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସମସ୍ତ ଓକିଲ ସମ୍ବଲପୁରର ରହିଛନ୍ତି। ସେହିପରି ଅନେକଙ୍କ ଲାଇସେନ୍ସ ରଦ୍ଦ ହୋଇଛି।

୨୯ ଜଣ ଓକିଲଙ୍କ ଜାମିନ ପ୍ରସଙ୍ଗରେ ଆଲୋଚନା ପାଇଁ ଗୁରୁବାର ୩୭ଟି ବାର ଓକିଲ ଏକାଠି ହୋଇଥିଲେ। ଝାରସୁଗୁଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଏହି ବୈଠକ। ପ୍ରାୟ ୪ ଘଣ୍ଟା ବୈଠକ ଚାଲିବା ପରେ ଶେଷ ହୋଇଥିଲା।ଏହି ବୈଠକରେ ସାମିଲ ହୋଇଥିଲେ ସମ୍ବଲପୁର, ସୁନ୍ଦରଗଡ ଝାରସୁଗୁଡା ସମେତ ବରଗଡ ଓ ଅନ୍ୟ ଜିଲ୍ଲାର ଓକିଲ। ଆଲୋଚନା ସମୟରେ ସମ୍ବଲପୁର ଓକିଲଙ୍କ ଜାମିନ ପାଇଁ ଆବଶ୍ୟକ ପଡ଼ିଲେ ଉପର କୋର୍ଟର ଆଶ୍ରୟ ନିଆଯିବ ଓ ସାମୂହିକ ଭାବେ ସମସ୍ତଙ୍କ ସମର୍ଥନ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

 

Comments are closed.