Latest Odisha News

ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବାକୁ ଇଡି ଆବେଦନ କଲା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜେଲ ଭିତରେ ଜେରା କରିବାକୁ ଇଡି ଯୋଜନା କରିଛି। ବିଭିନ୍ନ ବ୍ୟକ୍ତିଙ୍କ ବୟାନ ରେକର୍ଡ ପରେ ଇଡି ଝାରପଡା ଜେଲ ଯାଇ ଅର୍ଚ୍ଚନା ନାଗଙ୍କୁ ଜେରା କରିବାକୁ ଯୋଜନା କରିଛି। ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏସଡିଜିଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ରହିଛି। ଏବେ ଉଭୟ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଝାରପଡା ଜେଲରେ ଅଛନ୍ତି।

ନିକଟରେ ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରିଥିଲା। ଦୁଇ ଥର ଲେଖାଏଁ ରିମାଣ୍ଡରେ ନେବା ପରେ ତୃତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଇଡି ଯୋଜନା କରିଥିଲା। ହେଲେ କୋର୍ଟ ଅନୁମତି ନଦେବାରୁ ଜେଲ ଯାଇଛନ୍ତି। ଉଭୟ ପତି ଓ ପତ୍ନୀଙ୍କୁ ପ୍ରଥମେ ପୁଲିସ ପରେ କମିଶନରେଟ ପୋଲିସ ଗିରଫ କରିଛି। ହନିଟ୍ରାପ, ମାନବ ଚାଲାଣ ଆଦି ବିଭିନ୍ନ ମାମଲା ଉଭୟଙ୍କ ବିରୋଧରେ ରହିଛି।

ଇଡି ହନିଟ୍ରାପ ମାମଲାର ଅର୍ଥନୈତିକ ଦିଗର ତଦନ୍ତ କରୁଛି। ଏହି ହନିଟ୍ରାପ ମାମଲାରେ ବଡ ଆକାରର ଆର୍ଥିକ ନେଣଦେଣ ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ଅର୍ଚ୍ଚନା ନାଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନୟାପଲ୍ଲୀ ଥାନାରେ ତାଙ୍କ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏତଲା ଦେଇଥିଲେ। ଏହି ମାମଲାରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅର୍ଚ୍ଚନା ନାଗ।

 

 

 

Comments are closed.