Latest Odisha News

ହକି : ନୂଆ ଓଡ଼ିଶାର ପରିଚୟ

ବିମଳ କୁମାର ରାଉଳଙ୍କ ସ୍ୱତନ୍ତ୍ର ଆଲେଖ୍ୟ

ଜ୍ଞାନ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଓଡ଼ିଶାକୁ ଧିରେ ଧିରେ ଊର୍ଦ୍ଧ୍ୱମୁଖୀ କରାଇଛି । ପାରମ୍ପରିକ ଖୋଳପାରୁ ବାହାରି ଓଡ଼ିଶାର ନବକଳେବର ହୋଇଛି । ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଏହି କଳେବରର ପ୍ରମୁଖ ଅଂଶ ପାଲଟିଛି । ନୂଆ ଓଡ଼ିଶାର ପରିଚୟ ଆଜି ସାରା ବିଶ୍ୱରେ ପରିବ୍ୟାପ୍ତ ଓ ପରିବଦ୍ଧିତ । ଆଉ ଏଥିରେ ଯେଉଁ ଦିଗଟି ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ତାହା ହେଉଛି କ୍ରୀଡ଼ା । ବିଶେଷ କରି ଦେଶରେ ହକିର ପୁନରୁଦ୍ଧାର ସହ ଏହାର ପ୍ରଚାର ପ୍ରସାର ଦିଗରେ ଓଡ଼ିଶା ଯେଉଁ ଭୂମିକା ନିର୍ବାହ କରିଛି, ତାହା କେବଳ ଦେଶ ନୁହେଁ ବିଦେଶରେ ବି ଭୂୟସୀ ପ୍ରଶଂସା କରାଯାଉଛି । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଉତ୍କୃଷ୍ଟ ଆୟୋଜନ, ଉନ୍ନତ ଭିତ୍ତିଭୂମି ଏବଂ ଦର୍ଶକଙ୍କ ଉତ୍ସାହ ଦେଖି ସାରା ବିଶ୍ୱ ଅଭିଭୂତ ।

ଦିନ ଥିଲା ଦେଶର ବୁଦ୍ଧିଜୀବୀ ମହଲରେ ଓଡ଼ିଶା ଏକ ଦାରିଦ୍ର୍ୟ ଓ ଅନାହାର ମୃତ୍ୟୁର ରାଜ୍ୟ ଥିଲା । କିନ୍ତୁ ଦୁଇ ତିନି ଦଶନ୍ଧି ତଳର ଓଡ଼ିଶା ଏବଂ ବର୍ତ୍ତମାନର ନୂଆ ଓଡ଼ିଶା ମଧ୍ୟରେ ବହୁ ପ୍ରଭେଦ । ଯଦିଓ ଜାତୀୟ ପରିସଂଖ୍ୟାନ ଦୃଷ୍ଟିରୁ ଓଡ଼ିଶା ଏବେ ବି ବହୁ ପଛରେ ରହିଛି, ତଥାପି ଓଡ଼ିଶାର ବିକାଶ ରଥ ଯେ ବର୍ଷକୁ ବର୍ଷ ଆଗେଇ ଚାଲିଛି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ସେ ହିଁ ଏ ଜାତିର ପରିଚୟ । କିନ୍ତୁ ଗତ କିଛି ବର୍ଷ ହେବ ନୂଆ ଓଡ଼ିଶାର ପରିଚୟ ସହ ଏକ ନୂଆ ଶବ୍ଦ ଯୋଡ଼ି ହୋଇଛି, ତାହା ହେଉଛି ‘ହକି’ ।

‘ହକି’କୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦିଆଯାଏ । ୧୯୮୦ ପରବର୍ତ୍ତୀ ସମୟରେ ପ୍ରଚାର ପ୍ରସାର ଅଭାବରୁ ଭାରତୀୟ ହକି ତା’ର ଅସ୍ଥିତ୍ୱ ହରାଇ ବସିଥିଲା । ଏମିତି ସମୟ ଆସିଲା ଅଲିମ୍ପିକ୍ସରେ ଯେଉଁ ଦଳ କ୍ରମାନ୍ୱୟରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲା, ୨୦୦୮ରେ ସେହି ଦଳ ଯୋଗ୍ୟତା ହାସଲରୁ ବଞ୍ଚିତ ହେଲା । ‘ହକି ଇଣ୍ଡିଆ’ ଦେଶରେ ହକିର ପ୍ରସାର ପାଇଁ ପୃଷ୍ଠପୋଷକ ଓ ପ୍ରୋତ୍ସାହନ ଯୋଗାଡ଼ରେ ଲାଗି ରହିଥିଲା । ଠିକ୍ ସେତିକିବେଳେ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟର ସୂତ୍ରପାତ ହେଲା । ଇଂରେଜମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା । ବିଶେଷ କରି ମିଶନାରୀମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସମୟକ୍ରମେ ହକି ଆଦିବାସୀମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା । ଧିରେ ଧିରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା । ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି ଟୁର୍ଣ୍ଣାମେଣ୍ଟ । ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ।

– ହକି ଷ୍ଟାଡିୟମ
ଆଦିବାସୀଙ୍କର ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ଓଡ଼ିଶା ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କଲେ । ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ରେ ଏକ ଦଳ କ୍ରୟ କଲେ । ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’ । ୨୦୧୩ରେ ଏହି ଦଳ ଗଠନ ହୋଇ ୨୦୧୪ ସଂସ୍କରଣରେ ପଦାର୍ପଣ କରିଥିଲା । କଳିଙ୍ଗ ଷ୍ଟାଡିୟମରେ ‘କଳିଙ୍ଗ ଲାନସର୍ସ’ ୫ଟି ଘରୋଇ ମ୍ୟାଚ୍ ଖେଳିଲା ।

– ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା
ଓଡ଼ିଶାବାସୀଙ୍କ ହକି ପ୍ରତି ଭଲ ପାଇବା ଦେଖି ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ପ୍ରସ୍ତାବ ଗ୍ରହଣ କଲେ । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା । ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଏଥିରେ ଭାଗ ନେଲେ । ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଦ୍ଭୁତପୂର୍ବ ସଫଳତା ହାସଲ କଲା । ଏହା ପୂର୍ବରୁ ବିଶ୍ୱର କୌଣସି ହକି ଷ୍ଟାଡିୟମରେ ଏତେ ଦର୍ଶକ ଦେଖିବାକୁ ମିଳୁନଥିଲେ । ସାରା ବିଶ୍ୱରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ଏହି କ୍ରମରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା । ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ ।

– ପୁରୁଷ ହକି ବିଶ୍ୱକପ୍‌-୨୦୧୮
ଭୁବନେଶ୍ୱର ବିଶ୍ୱକପ୍ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା । ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା । ୨୦୧୭ ସୁଦ୍ଧା ଷ୍ଟାଡିୟମର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ସେହିବର୍ଷ ଡିସେମ୍ବର ମାସରେ ‘ହକି ବିଶ୍ୱ ଲିଗ୍‌’ ସଫଳତାର ସହ ଆୟୋଜିତ ହେଲା । ଏହା ପୂର୍ବରୁ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁସାରେ, ଓଡ଼ିଶା ଭାରତୀୟ ହକି ଦଳର ପାଞ୍ଚ ବର୍ଷ ପାଇଁ ପ୍ରାୟୋଜକ ରହିବ । ରାଜ୍ୟ ତଥା ଦେଶର ହକିର ବିକାଶ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ।

ହକି ବିଶ୍ୱକପ୍‌-୨୦୧୮ ଆୟୋଜନ ଅନ୍ତର୍ଜାତୀୟ ହକିରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଲା । ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ । ଯାହା ସମସ୍ତଙ୍କୁ ଚକିତ କଲା । ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋ ଲିଗ୍ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱରରେ ଖେଳାଗଲା ।

ସୁନ୍ଦରଗଡ଼ ହକିର ଐତିହ୍ୟ ଓ ସଂସ୍କୃତି ସାରା ବିଶ୍ୱରେ ପହଞ୍ଚି ପାରିଛି । କଳିଙ୍ଗ ଷ୍ଟାଡିୟମ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଏହା ହକି ଖେଳୁଥିବା ପ୍ରତ୍ୟେକ ଦେଶର ଖେଳାଳିଙ୍କ ସ୍ୱପ୍ନର ଷ୍ଟାଡିୟମ ଭାବେ ଖ୍ୟାତି ଲାଭ କରିଛି । ହକି ପ୍ରତିଟି ଓଡ଼ିଆର ସ୍ପନ୍ଦନ ହୋଇ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି ।

– ହକିର ଜାତୀୟ ପ୍ରାୟୋଜକ
୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମ ଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି । ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରି ଥିଲା । ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ।

ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସମୟ ଆସିଲା, ଜାତୀୟ ସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ । ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ ।

ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି । ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଦ୍ଭୁତପୂର୍ବ ବିକାଶ ଘଟିଛି । ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି । କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋ ଟର୍ଫ ବିଛା ଯିବା ନେଇ କାର୍ଯ୍ୟ ଆଗେଇ ଚାଲିଛି ।

– କ୍ରମାନ୍ୱୟରେ ଦ୍ୱିତୀୟ ବିଶ୍ୱକପ୍
୨୦୧୮ ବିଶ୍ୱକପ୍‌ର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ହକି ଇଣ୍ଡିଆକୁ ପୁଣି ପରବର୍ତ୍ତୀ ସଂସ୍କରଣ ଆୟୋଜନ ଅଧିକାର ପ୍ରଦାନ କରିଥିଲା । ହକି ଇଣ୍ଡିଆର ପ୍ରସ୍ତାବକୁ ଏଥର ବି ରାଜ୍ୟ ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିନଥିଲେ । ବରଂ ଭୁବନେଶ୍ୱର ସମେତ ରାଉରକେଲାରେ ବିଶ୍ୱକପ୍ ଖେଳାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହକି ଇତିହାସରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ଗୋଟିଏ ଭେନ୍ୟୁରେ ବିଶ୍ୱକପ୍ ଆୟୋଜିତ ହେଉଛି ।

ରାଉରକେଲାରେ କୌଣସି ଅନ୍ତର୍ଜାତୀୟ ସୁବିଧା ନଥାଇ କିପରି ବିଶ୍ୱକପ୍ ଆୟୋଜିତ ହେବ? ଏ କଥା ସମସ୍ତଙ୍କୁ ଚକିତ କରିଥିଲା । ପୁଣି ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା ସମସ୍ତଙ୍କୁ ଅଦ୍ଭୁତ ମନେ ହୋଇଥିଲା । ତାହା ଥିଲା ରାଉରକେଲାରେ ୨୦ ହଜାର ବିଶିଷ୍ଟ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ । ଏତେ ଅଳ୍ପ ସମୟ ମଧ୍ୟରେ କ’ଣ ଷ୍ଟାଡିୟମ ନିର୍ମାଣ ସମ୍ଭବ ହୋଇପାରିବ? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଏହା କେବଳ ଘୋଷଣା ନା ସ୍ୱପ୍ନ !!

ମହାମାରୀ କରୋନା ପାଇଁ କିଛି ମାସ କାର୍ଯ୍ୟ ବନ୍ଦ ରହିଥିଲା । ମାତ୍ର ୧୫ ମାସ ମଧ୍ୟରେ ଇସ୍ପାତରେ ନିର୍ମିତ ନୂଆ ଷ୍ଟାଡିୟମ ଇସ୍ପାତ ନଗରୀରେ ଗଢ଼ି ଉଠିଛି । ଯାହାର ନାମ ରଖାଯାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । କେବଳ ଷ୍ଟାଡିୟମ ନୁହଁ, ଏହାର ପରିସରରେ ପଞ୍ଚ ତାରକା ହୋଟେଲର ସୁବିଧା ଥିବା ହକି ଗ୍ରାମ ମଧ୍ୟ ନିର୍ମାଣ ହୋଇଛି । ଯେଉଁଠି ବିଶ୍ୱକପ୍ ଦଳ ଗୁଡ଼ିକର ରହିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୯ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମକୁ କେବଳ ଦେଶରେ ନୁହେଁ, ବିଶ୍ୱରେ ବୃହତ୍ ଷ୍ଟାଡିୟମର କୁହାଯାଉଛି ।

ଭୁବନେଶ୍ୱର ଓ ରାଉରକେଲାରେ ଦୁଇଟି ଷ୍ଟାଡିୟମରେ ବିଶ୍ୱକପ୍‌-୨୦୨୩ ଆୟୋଜିତ ହେଉଛି । ବିଶ୍ୱକପ୍‌ର ୧୬ଟି ଯାକ ଦଳ ଆସି ଅଭ୍ୟାସ ଜାରି ରଖିଛନ୍ତି । ଓଡ଼ିଶାର ହକି ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେଖି ସମସ୍ତେ ଅଭିଭୂତ । ଖେଳାଳି, କୋଚ୍ ଓ ପର୍ଯ୍ୟଟକ ସମସ୍ତଙ୍କ ମୁହଁରେ ଓଡ଼ିଶାର ପ୍ରଶଂସା । ଏ ପ୍ରଶଂସା କେବଳ ହକିର ସକରାତ୍ମକ ପ୍ରଚାର ପ୍ରସାର ଯୋଗୁ ସମ୍ଭବ ହୋଇ ପାରିଛି । ଆଜି ଯେଉଁଥିପାଇଁ ହଜାର ହଜାର କୋଟି ଟଙ୍କା ବିନିଯୋଗ ହେଉଛି, ଏହାର ସୁଫଳ ଆଗାମୀ ଦିନରେ ରାଜ୍ୟ ତଥା ଦେଶକୁ ନିଶ୍ଚିତ ମିଳିବ ।

ଖେଳ ସାମ୍ବାଦିକ
ଭୋଗରାଇ, ବାଲେଶ୍ୱର,
ମୋ.-୯୭୭୬୩୨୭୦୫୩

Comments are closed.