Latest Odisha News

BREAKING NEWS

ନବ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପାଇଖାନାରୁ କାଗଜ ବାହାର କରି ନୂଆ ତାମସା କରୁଛି କହିଲା ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ଡିଜିଙ୍କ ବୟାନକୁ ନିନ୍ଦା କରିଛି ରାଜ୍ୟ ବିଜେପି। ଏଥିସହ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଇ କ୍ରାଇମବ୍ରାଂଚକୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ବିରୋଧୀ ନାପସନ୍ଦ କରିଛି। ଏଥିସହ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଦଳ କହିଛି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଗିରଫ କରିବା ପରେ ଥାନା ଭିତରକୁ ଯାଇ ପାଇଖାନାରେ କାଗଜ ପକାଇଲେ କେମିତି ? ତାହେଲେ ତା ହାତରେ କଣ ହାତକଡି ବନ୍ଧା ଯାଇନଥିଲା କି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଗୋଲକ ମହାପାତ୍ର କହିଛନ୍ତି ଯେ, ନବ ଦାସ ହତ୍ୟାକୁ ନେଇ ନୀରବ ଥିବା ରାଜ୍ୟ ପୋଲିସ ଡିଜି ଗତ କାଲି ହଠାତ୍ ଆବିର୍ଭାବ ହୋଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପୁରଣା ଉକ୍ତି “ଉତ୍କଳରେ ନାହିଁ ନେତାର ପ୍ରୟୋଜନ, ଉତ୍କଳରେ ଅଛନ୍ତି ସ୍ୱୟଂ ନାରାୟଣ”କୁ ମନେ ପକାଇ ଦେବା ସହ ରାଜ୍ୟରେ ପୋଲିସ କିମ୍ବା ପୋଲିସ ଡିଜିଙ୍କ ଆବଶ୍ୟକତା ନଥିବାର ନିରାଶବାଦୀ ବୟାନ ନିଜେ ପୋଲିସ ଡିଜି ଦେବା ଅତ୍ୟନ୍ତ ଲଜ୍ଜାଜନକ। କେବଳ ବିଜେଡିକୁ ନିର୍ବାଚନ ଜିତାଇବା ଦାୟିତ୍ୱରେ ଥିବା ରାଜ୍ୟ ଗୋଇନ୍ଦା ବିଭାଗ ନିଜ ଦାୟୀତ୍ୱ ନିର୍ବାହ କରିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି । ଅତୀତରେ ବହୁ ଗପ କହି ଓଡିସାବାସୀଙ୍କୁ ଭୁଆଁ ବୁଲାଇଥିବା ପୋଲିସ ବିଭାଗ ଏବଂ କ୍ରାଇମବ୍ରାଂଚ ଆଜି ପାଇଖାନାରୁ କାଗଜ ବାହାର କରି ନୂଆ ତାମସା ରଚୁଛନ୍ତି ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ସେହିପରି ଶାସକ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଆଉ ପାଦେ ଆଗକୁ ଯାଇ ‘ମା ଓ ମାଉସୀ’ର କାହାଣୀ ଶୁଣାଇଛନ୍ତି । ମା ଏବଂ ଡାହାଣୀ ଉଭୟେ ପିଲାଙ୍କୁ ଭଲ ପାଆନ୍ତି । ଏହା ପୂର୍ବରୁ ତାଙ୍କ ଦଳ ଓ ସେ ନିଜେ “ମା’ ନାଁ ଡାହାଣୀ” ସ୍ପଷ୍ଟ କରିବା ଉଚିତ୍ । ରାଜ୍ୟ ସରକାର ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ଥୀ ଦେବା ପରିବର୍ତେ ମା ଓ ମାଉସୀଙ୍କ କାହାଣୀ ଶୁଣାଇବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅପରାଧୀଙ୍କୁ ବଂଚାଇବା ପାଇଁ ଏବଂ ସତ୍ୟକୁ ଚାପି ଦେବା ପାଇଁ ଓଡିଶାବାସୀଙ୍କୁ ମିଛ ଗପ ଶୁଣାଇବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଅତୀତର କିଛି ସମ୍ବେଦଶୀଳ ଘଟଣାର ତଦନ୍ତ ଏବଂ ବର୍ତମାନ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ନିଜ ବିଶ୍ୱସନୀୟତା ହରାଇଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି । ତେଣୁ ଏହି ଘଟଣାର ତଦନ୍ତ ଭାର ଯଥାଶୀଘ୍ର ସିବିଆଇକୁ ଦିଅନ୍ତୁ ବୋଲି ଗୋଲକ ମହାପାତ୍ର ଦାବି କରିଛନ୍ତି ।

 

Leave A Reply

Your email address will not be published.