ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇ ସାରିଛି । ମା ବିମଳାଙ୍କ ମନ୍ଦିର ହୋଇଛି ଉତ୍ସବ ମୁଖର। ଠିକ ଷୋଳ ଦିନ ଗଣତି ହୋଇ ଅଶ୍ୱିନ ମାସ କୃଷ୍ଣ ପକ୍ଷ ସପ୍ତମୀ ଅବା ଅଷ୍ଟମୀ ତିଥିରୁ ଦେବୀ ବିମଳାଙ୍କ ସହସ୍ର କୁମ୍ଭାଭିଷେକ ଆରମ୍ଭ ହୁଏ। ଏହାକୁ ଷୋଡଶ ପୂଜାର ଆରମ୍ଭ ବୋଲି ବିବେଚନା କରାଯାଏ। ତିଥି ବୃଦ୍ଧି ନଥିଲେ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଭଣ୍ଡାର ଘରୁ ଦୁର୍ଗାଙ୍କ ଚଳନ୍ତି ପ୍ରତିମା ଆଜ୍ଞା ମାଳ ପ୍ରାପ୍ତ ହୋଇ ପତି ମହାପାତ୍ରଙ୍କ ହାତରେ ସୋମନାଥ ମଣ୍ଡପ (ମଜଣା ମଣ୍ଡପ )ରେ ପଡ଼ିଥିବା ଖଟରେ ବିଜେ କରନ୍ତି। ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ଓ ବ୍ରହ୍ମl ବରଣ ହୋଇ ଦୁର୍ଗା ପ୍ରତିମା ଙ୍କୁ ୧୦୦୦ ଗରା ପବିତ୍ର ଜଳରେ ଅଭିଷେକ କରନ୍ତି। ଏହା ହିଁ ଷୋଳପୂଜାର ପ୍ରଥମ ଚରଣ ବା ସହସ୍ରକୁମ୍ଭାଭିଷେକ। ଏହା ପରେ ଶ୍ରୀଅଙ୍ଗ ପୋଛା, ନବସ୍ତ୍ର ଧାରଣ, ବେଶ ସିଂହାର, ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ପରେ, ଦେବୀ ଦୁର୍ଗାଙ୍କୁ ଭଣ୍ଡାର ଘର ଦ୍ୱାରଦେଶରେ ବିଜେ କରାଇ ଏହି କୁମ୍ଭାଭିଷେକ ବିଧି ଶେଷ କରାଯାଏ। ଏହାପରେ ସିଂହାସନ ଉପରୁ ଆଜ୍ଞା ମାଳ ପାଇ ଶ୍ରୀ ବାଳ ପୁରୁଷୋତ୍ତମ(ମାଧବ )ଆସି ଦୁର୍ଗାଙ୍କ ସହ ଭଦ୍ରାସନ ରେ ଏକାଠି ବସନ୍ତି ଓ ରୁନ୍ଧl ହୁଅନ୍ତି। ଏହି ରୁନ୍ଧା ଅବସ୍ଥାରେ ପୁଣି ରତ୍ନ ସିଂହାସନକୁ ଯାଇ ଆଜ୍ଞା ମାଳ ପାଇଲା ପରେ ଜୟ ବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପ ସାମ୍ନାରେ ରଖା ଯାଇଥିବା ପାଲିଙ୍କିରେ ଉପଵେଶନ କରନ୍ତି, ଏହିଠାରେ କର୍ପୁର ଜଳ ଲାଗି ହୁଏ। ତାପରେ ଆଡମ୍ବର ରେ ଉଭୟ ଦୁର୍ଗାମାଧବ ବିମଳାଙ୍କ ମନ୍ଦିରକୁ ବିଜେ କରନ୍ତି। ସେଠାରେ ସଜିତ ଖଟ ଉପରେ ଦୁର୍ଗାମାଧବ ଉପବେଷନ କଲେ ଶୀତଳ ଭୋଗ ଓ ବନ୍ଦାପନା ହୋଇଥାଏ। ଏହି ବିଧି ବିଧାନ ପୂର୍ବରୁ ମା ବିମଳାଙ୍କ ସକାଳ ଧୂପ ନୀତିକାନ୍ତି ଶେଷ ହୋଇଥାଏ। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ତିନି ଧୂପ ସରି ଭିତର ଚନ୍ଦନ ଲାଗି ପରେ ପୁଣି ଦୁର୍ଗାମାଧବ ପାଲିଙ୍କିରେ ବିଜେ କରି ଭଣ୍ଡାର ଘରକୁ ବିଜେ କରନ୍ତି। ସମ୍ପୂର୍ଣ୍ଣ ଷୋଳ ପୂଜାରେ (ଷୋଳ ଦିନ )ଏହି ଭାବରେ ରୁନ୍ଧା ହୋଇ ରହନ୍ତି ଶେଷରେ ବିଜୟା ଦଶମୀ ବା ଦଶହରା ଦିନ ରୁନ୍ଧା ଖୋଲାଯାଏ। ଆଗାମୀ ଅଧ୍ୟୟରେ ଜାଣିବା ମହା ସପ୍ତମୀ, ଅଷ୍ଟମୀ ଓ ମହା ନବମୀ ପାଳନର ବିଶେଷ ନୀତି ଆଲୋଚନା କରିବା, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ଜ୍ଞାନ କରମ ଭକ୍ତି ଘେନି
ଏମନ୍ତ ଯୋଗମାର୍ଗ ତିନି ।
ଏ ତିନି ପଥୁ ଅନ୍ୟ ପଥେ
ଉପାୟ ନ ଦେଖି ଜଗତେ ।
ଏ କଥା ଶୁଣ ମନ ଦେଇ
ଉତ୍ତମ ଶି6ଷ୍ୟ ଏହା କହି ।
ଜୟ ମା ବିମଳା, ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )
Comments are closed.