ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା ସହିତ ଯାଜପୁର ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ୧ ନମ୍ବର ଜିଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ଏବଂ ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଦର୍ଶକଙ୍କୁ ବେଶ ହସର ଖୋରାକ ଯୋଗାଇଛନ୍ତି ।
ଗତ ଦୁଇ ବର୍ଷ ପରେ ଏହି ଜିଲା ମହୋତ୍ସବ ହେଉଥିବାରୁ ଜିଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ୧୫୦ ରୁ ଉର୍ଦ୍ଧ ସ୍ୱୟଂସହାୟକ ଗୋଷ୍ଠୀ ପଲ୍ଳିଶ୍ରୀ ମେଳାରେ ସାମିଲ ହୋଇଛନ୍ତି । ଏଥିସହିତ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆୟୋଜିତ ହୋଇଛି । ଉଦଘାଟନି ସଂଧ୍ୟାରେ ବଲିଉଡ ଅଭିନେତ୍ରୀ ନେହା ଧୁପିଆଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡିଶୀ,ଗୋଟିପୁଅ ନୃତ୍ୟ ସହିତ ଲୋକ କଳା ନୃତ୍ୟ ପରିବେଶିତ ହୋଇଥିଲା । ପରେ ସୁନିଲ ଗ୍ରୋଭରଙ୍କ କମେଡି ଦେଖି ହସି ହସି ବେଦମ ହୋଇଥିଲେ ଦର୍ଶକ । ଏହା ପରେ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନଙ୍କ କଣ୍ଠରେ ମତୁଆଲା ହୋଇଥିଲେ । ସୁନିଧିଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।
ତାଙ୍କର ସମସ୍ତ ହିଟ୍ ଗୀତକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ଏକାଧିକ ବଲିଉଡ କଳାକାରଙ୍କ ସଂଗୀତକୁ ଉପଭୋଗ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଯାଜପୁରରେ ଏଭଳି ଭବ୍ୟ ଆୟୋଜନ ଓ ଦର୍ଶକଙ୍କ ଭଲ ପାଇବା ଦେଖି ସୁନିଧି ବେଶ ଉତ୍ସାହିତ ହୋଇଥିଲେ । ତେବେ ଏହି ମହତ୍ସୋବ ଅବସରରେ ଜିଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ବଲିଉଡ କଳାକାର ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.