ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି।
ଏହି ଆପ୍ କରୋନା ମହାମାରୀର ପ୍ରଥମ ଲହର ସମୟରେ ପ୍ରସ୍ତୁତ କରାଯାଇଥିଲା ବୋଲି ସରକାର କହିଛନ୍ତି। ଏହି ଆପ୍ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବଂ ହୋମ କ୍ୱାରାଣ୍ଟାଇନରେ ଥିବା ବା ସଂଗରୋଧରେ ଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବା ପାଇଁ ବ୍ୟବହାର କରାଯାଉଥିଲା। ୟୁଜରଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଥିଲା। ବିରୋଧୀ କିନ୍ତୁ ଅଭିଯୋଗ କରିଥିଲେ ଯେ ଏହି ଆପ୍ ମାଧ୍ୟମରେ କେନ୍ଦ୍ର ସରକାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି।
ଏବେ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ଯେ କୋଭିଡ ପ୍ରୋଟୋକଲର ବ୍ୟବସ୍ଥା ଅନୁଯାୟୀ ୨୦୨୦ରେ ଆରମ୍ଭ ହୋଇଥିବା ଆପର କଣ୍ଟାକ୍ଟ-ଟ୍ରାସିଂ ଫିଚରକୁ ବନ୍ଦ କରିଦିଆଯାଇଛି। ୨୦୨୨ ସୁଦ୍ଧା ସଂଗ୍ରହ କରାଯାଇଥିବା ସମସ୍ତ ତଥ୍ୟକୁ ଡିଲିଟ୍ କରିଦିଆଯାଇଛି।
ଗତ ଫେବ୍ରୁଆରି ୮ରେ କଂଗ୍ରେସ ସାଂସଦ ଅମର ସିଂହ କେନ୍ଦ୍ର ସରକାରଙ୍କୁ ଆରୋଗ୍ୟ ସେତୁ ଆପ୍ ଜରିଆରେ ସଂଗୃହୀତ ତଥ୍ୟର କ’ଣ ହେଲା ବୋଲି ପ୍ରଶ୍ନ କରିଥିଲେ। ଏବଂ କାହା ପାଖରେ ଏହା ରହିଛି?
ଏକ ପ୍ରଶ୍ନର ଉତ୍ତରରେ ଚନ୍ଦ୍ରଶେଖର କହିଛନ୍ତି ଯେ ଆରୋଗ୍ୟ ସେତୁ ଡାଟା ଆକ୍ସେସ୍ ଆଣ୍ଡ ନଲେଜ୍ ସେୟାରିଂ ପ୍ରୋଟୋକଲ୍, ୨୦୨୦ ଅନୁସାରେ ଏହି ମୋବାଇଲ୍ ଆପର କଣ୍ଟାକ୍ଟ ଟ୍ରେସିଂ ଫିଚରକୁ ଡିଏକ୍ଟିଭ୍ କରିଦିଆଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ସଂଗୃହୀତ କଣ୍ଟାକ୍ଟ ଟ୍ରେସିଂ ଡାଟାକୁ ଡିଲିଟ୍ କରିଦିଆଯାଇଛି।
ଉଲ୍ଲେଖଖଯୋଗ୍ୟ, ଏହି ଆପ୍ ତିଆରି ହେବାର ଗତ ତିନିବର୍ଷ ମଧ୍ୟରେ ଏହା ବିଷୟରେ ଅନେକ ଚର୍ଚ୍ଚା ହୋଇଛି। କିନ୍ତୁ ଯେତେବେଳେ ସାଇବର ସୁରକ୍ଷା ବିଶେଷଜ୍ଞ ତଥା ପୂର୍ବତନ ଗୁପ୍ତଚର ଅଧିକାରୀମାନେ ଲକ୍ଷ ଲକ୍ଷ ଭାରତୀୟଙ୍କ ସହ ଜଡିତ ତଥ୍ୟ ଉଲ୍ଲଂଘନ ହେବାର ସମ୍ଭାବନା ବିଷୟରେ କହିଥିଲେ, ସେତେବେଳେ ଭାରତ ସରକାର ଏପରି ସମ୍ଭାବନାକୁ ଖାରଜ କରିଦେଇଥିଲେ। ତଥ୍ୟ ଏନକ୍ରିପ୍ଟ ହୋଇଛି ବୋଲି ସରକାର ଦାବି କରିଥିଲେ। ତେବେ କେଉଁ ଜ୍ଞାନକୌଶଳରେ ତିଆରି ହୋଇଛି ସେ ବାବଦରେ ନିରବ ରହିଥିଲେ।
Comments are closed.