Latest Odisha News

BREAKING NEWS

ଆଗାମୀ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସଂପ୍ରତି ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପ  ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ କ୍ୟାବିନେଟ୍‌ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ମିଲେଟସ୍‌ ଚାଷର ପ୍ରୋତ୍ସାହନ ନିମନ୍ତେ ୨୮୦୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ‘ଫସଲ ବିବିଧିକରଣକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା ସଂପର୍କରେ ଏକ ବୈଷୟିକ ଉପସ୍ଥାପନା ଆଜି ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ କରାଯାଇଥିଲା । ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କଳାହାଣ୍ଡି ଜିଲ୍ଲାପାଳ ସୁଶ୍ରୀ ଅନ୍ୱେଷା ରେଡ୍ଡି ଏବଂ ବାଲେଶ୍ୱର ଶ୍ରୀ ଦତ୍ତାତ୍ରୟ ସିନ୍ଦେ ଅଂଶଗ୍ରହଣ କରିଥିଲେ ।

ବୈଷୟିକ ଅଧିବେଶନରେ କୃଷି ନୀତିର ବିକାଶ ପ୍ରକ୍ରିୟା, ସଫଳତା, ଆହ୍ୱାନ ଏବଂ ଏହାର ଭବିଷ୍ୟତର ସମ୍ଭାବନା ଉପରେ ପ୍ରମୁଖତା ପ୍ରଦାନ କରାଯାଇଥିଲା । ସବୁଜ ବିପ୍ଳବ ଦ୍ୱାରା ଯଦିଓ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଥିଲା, କିନ୍ତୁ ଏହାର ନକରାତ୍ମକ ପ୍ରଭାବ ଯୋଗୁ ଚାଷଜମିରେ ଅବନତି, ଭୂତଳ ଜଳ ହ୍ରାସ, ମୃତ୍ତିକାର ଉର୍ବରତା ହ୍ରାସ ଏବଂ ଜୈବବିବିଧତା ହ୍ରାସ ପାଉଛି । ସର୍ବୋପରି ଏହା ଦ୍ୱାରା ଫସଲର ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ କରିବା କ୍ଷମତା ହ୍ରାସ ପାଉଛି । କ୍ରମାଗତ ହ୍ରାସ ପାଉଥିବା ପ୍ରାକୃତିକ ସଂପଦ ପୁଷ୍ଟିହୀନତା ସମସ୍ୟାକୁ ଜଟିଳ କରିଛି ।

ଉପରୋକ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ବୈଠକରେ ବିଭିନ୍ନ ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ଫସଲ ଚାଷ, ଶସ୍ୟକ୍ଷେତ୍ରର ପରିବର୍ତ୍ତନ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏପରି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନକୁ ସୁହାଇବା ପରି ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉପଲବ୍ଧ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର ନିଜର ଚାଉଳ ଚାହିଦା ପୂରଣ କରବା ପରେ ୪୦ ଲକ୍ଷ ଟନରୁ ଊଦ୍ଧ୍ୱର୍ ଚାଉଳ ବଳକା ରହୁଛି । ଏହି ପରିପ୍ରେକ୍ଷୀରେ ଫସଲର ବିବିଧିକରଣ କରି ଡାଲି, ତୈଳବୀଜ, ମିଲେଟସ୍‌, ଉଦ୍ୟାନ କୃଷି ଓ ବୃକ୍ଷରୋପଣ ଆଦି କରାଯିବାର ପର୍ଯ୍ୟାପ୍ତ ସୁଯୋଗ ରାଜ୍ୟରେ ରହିଛି ।

ଓଡ଼ିଶା ମିଲେଟସ୍‌ ମିଶନର ଉଲ୍ଲେଖନୀୟ ସଫଳତା ଫସଲ ବିବିଧିକରଣର ଏକ ଆଦର୍ଶ ଉଦାହରଣ ଭାବରେ ବୈଠକରେ ଉପସ୍ଥାପନା କରାଯାଇଥିଲା ।

ଓଡ଼ିଶା ମିଲେଟସ୍‌ ମିଶନ ସଫଳତାର ଅଭିଜ୍ଞତାକୁ ଆଧାର କରି କୃଷକମାନଙ୍କର ଲକ୍ଷ୍ୟର ମୂଲ୍ୟାୟନ ଏବଂ ଫସଲ ବିବିଧିକରଣ ନିମନ୍ତେ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ନିୟମିତ ମୂଲ୍ୟାୟନ ଓ ଏହାର ଉନ୍ନତିକରଣ ଫସଲ ବିବିଧିକରଣ ରଣନୀତିର ଏକ ମୁଖ୍ୟ ଅଙ୍ଗ ବୋଲି ଆଲୋଚକମାନେ ମତପୋଷଣ କରିଛନ୍ତି ।

ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପ ଏବଂ ବୃଷ୍ଟିପୁଷ୍ଟ ଅଞ୍ଚଳରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୭ ଲକ୍ଷ ହେକ୍ଟରରୁ ଅଧିକ  ଜମିରେ ଡାଲିଜାତୀୟ ଫସଲ, ୧୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ତୈଳବୀଜ, ୬.୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ମିଲେଟସ୍‌, ୦.୬୨ ଲକ୍ଷ ହେକ୍ଟର  ଜମିରେ ଉଦ୍ୟାନ କୃଷି, ୦.୪୪ ଲକ୍ଷ ହେକ୍ଟର  ଜମିରେ ପନିପରିବା, ୦.୨୮ ଲକ୍ଷ ହେକ୍ଟର   ଜମିରେ ମସଲା ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ ବୋଲି କୃଷି ବିଭାଗ ଆଶା କରୁଛି । ଏତଦ୍‌ବ୍ୟତୀତ, ପଣସ, ଛତୁ, ଫୁଲଚାଷ, ମସଲା ଚାଷ ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ମୋଡ୍‌ ପଦ୍ଧତି ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

 

Comments are closed.