Latest Odisha News

BREAKING NEWS

ରାଜଧାନୀରେ ଖୋଲିଲା ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର: ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ସମ୍ଭବପର । ବର୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶର ସହାୟକ ହୋଇପାରୁନାହିଁ । ତେଣୁ ସବୁବେଳେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି । ଏଥିପାଇଁ ସ୍ମୃତିଶକ୍ତି ବୃଦ୍ଧି ଉପରେ ଜୋର୍ ଦେବା ନିହାତି ଆବଶ୍ୟକ । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମତପ୍ରକାଶ କରିଛନ୍ତି ନିଜର ଗଭୀର ସ୍ମୃତିଶକ୍ତି ପାଇଁ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ବୀରେନ୍ଦ୍ର ମେହେତା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ  କିଟ୍ ପରିସରରେ ଖୋଲିଥିବା ବିଶ୍ୱର ସର୍ବପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହି ଅବସରରେ ଶ୍ରୀ ମେହେତା କହିଛନ୍ତି ଯେ, ସ୍ମୃତିଶକ୍ତି ବୃଦ୍ଧି ତଥା ଚାପମୁକ୍ତ ହେବା ପାଇଁ ଆମ ପୁରାତନ ଶାସ୍ତ୍ର ବେଦରେ ଅନେକ ପଦ୍ଧତିର ଅବତାରଣା କରାଯାଇଛି । ଏସବୁ ପଦ୍ଧତିର ବିନିଯୋଗ କରି ଶ୍ରୀବିଦ୍ୟା, ବୈଦିକ ସ୍ମୃତି ଶକ୍ତି, ମାନସିକ ଶକ୍ତି, ଦୃଶ୍ୟମାନ କଳା ତଥା ଆହୁରି ଅନେକ ଲୁକ୍କାୟିତ ଶକ୍ତିର ବୃଦ୍ଧି ଘଟାଯାଇ ପାରିବ । ଏହାଦ୍ୱାରା ସଠିକ ଭାବେ ମସ୍ତିଷ୍କକୁ ସକ୍ରିୟ ରଖିବା, ଶକ୍ତିଶାଳୀ ଫଟୋଗ୍ରାଫିକ୍ ସ୍ମୃତି, ଚାପରୁ ମୁକ୍ତି, ବୈଦିକ ପଦ୍ଧତିରେ ମାନସିକ ସମସ୍ୟାର ସମାଧାନ, ଯୋଗକ୍ରିୟା, ଆତ୍ମନିର୍ଭରଶୀଳତା ଓ ଆତ୍ମପ୍ରତ୍ୟୟ ବୃଦ୍ଧ. ବ୍ୟକ୍ତିତ୍ୱର ବିକାଶ, ଚିନ୍ତାଶକ୍ତି ତଥା ଆଧ୍ୟାତ୍ମିକ ଶକ୍ତିର ଜାଗରଣ ଓ ସକରାତ୍ମକ ଚିନ୍ତାର ବିକାଶ ଘଟିପାରିବ ।

ଚାପଗ୍ରସ୍ତ ମନୁଷ୍ୟ ଏବଂ ପିଲାମାନଙ୍କ ପାଇଁ ଏହା ନିହାତି ଆବଶ୍ୟକ ଅଟେ । ଯଦି ଏହାକୁ ଠିକ୍ ଭାବରେ ଜଣେ ଅନୁସରଣ କରେ ବା ଗ୍ରହଣ କରେ, ଆଗାମୀ ଦିନରେ ସେ ଜଣେ ବିଦ୍ୱାନ ହୋଇପାରିବ । ଏଭଳି ପରିସ୍ଥିତିରେ ଯେ କୌଣସି ବ୍ୟକ୍ତି ଏହି ଗବେଷଣାଗାରର ଲାଭ ନେଇପାରିବେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଖାଦ୍ୟ ବିଶେଷଜ୍ଞ ନୀତା ଭୂପାଳନ୍ ଓ ବି.ଆର୍. ସିଂ ରାଜପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.