ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ୍ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟିର ମୂଳ ବଜେଟ ସହିତ ୧୬, ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରାଯାଇଥିଲା। ପ୍ରତିବର୍ଷ ବଜେଟର ଆକାର ହାରାହାରି ୧୦ରୁ ୨୦ ପ୍ରତିଶତ ହାରରେ ବଢ଼ାଯାଉଥିବାରୁ ଆଗାମୀ ବର୍ଷ ପାଇଁ ବଜେଟର ଆକାର ୨ଲକ୍ଷ ୩୦ କୋଟି ଟଙ୍କା ଅତିକ୍ରମ କରିବା ସମ୍ଭାବନା ରହିଛି।
ତେବେ ରାଜ୍ୟର ଅଭିବୃଦ୍ଧି ହାର ଗତବର୍ଷ ତୁଳନାରେ ଚଳିତ ବର୍ଷ ହ୍ରାସ ପାଇବାର ଆକଳନ କରାଯାଇଥିବାରୁ ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଉପରେ ସରକାର ଅଧିକ ଧ୍ୟାନ ଦେଇପାରନ୍ତି। ଏହାଛଡ଼ା ଆସନ୍ତାବର୍ଷ ନିର୍ବାଚନ ବର୍ଷ ଥିବାରୁ ବଜେଟକୁ ଲୋକାଭିମୁଖୀ କରିବା ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଭଳି ସାମାଜିକ କ୍ଷେତ୍ର ସହିତ ଶିଳ୍ପ କ୍ଷେତ୍ର ଉପରେ ଅଗ୍ରାଧିକାର ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ମହିଳାଙ୍କ ରୋଜଗାର ବଢ଼ାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନ ଶକ୍ତି ବିଭାଗକୁ ଅଧିକ କ୍ରିୟାଶୀଳ କରିବା, ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦେବା ଦିଗରେ କିଛି ପ୍ରଭାବଶାଳୀ ଯୋଜନା କାର୍ଯ୍ୟକାରୀ କରିପାରନ୍ତି।
ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ମିଳିଥିବାରୁ ଏହାର ବାସ୍ତବ ରୂପାୟନ ଓ ଏହା ଜରିଆରେ ପ୍ରସ୍ତାବିତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ନିଶ୍ଚିତ ଭାବେ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ବିଶେଷକରି ଶ୍ରମଜୀବୀ, କୃଷକ, ଯୁବଗୋଷ୍ଠୀ, ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ରୋଜଗାର ବୃଦ୍ଧି ଦିଗରେ ବଜେଟରେ କିଛି ନୂଆ ଯୋଜନା ସ୍ଥାନ ପାଇବାର ସଙ୍କେତ ମିଳୁଛି।
ତେବେ ଗତବର୍ଷ ରାଜ୍ୟରେ ଖଣି ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ମିଳିଥିବାବେଳେ ଚଳିତବର୍ଷ ଏଥିରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ସେ କ୍ଷେତ୍ରରେ ବଡ଼ ଆକାର ବଜେଟ ପାଇଁ ବିକଳ୍ପ ସମ୍ବଳର ଉତ୍ସ ଯୋଗାଡ଼ ଏବଂ ଟିକସ ସଂଗ୍ରହ ଉତ୍ସକୁ ଅଧିକ ସମ୍ପ୍ରସାରିତ କରାଯାଇପାରେ ବୋଲି ଅର୍ଥନୀତିଜ୍ଞ ମହଲରେ ଚର୍ଚ୍ଚା ଚାଲିଛି।
Comments are closed.