Latest Odisha News

‘ସାଧାରଣ ଲୋକ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି’

ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣ ଶ୍ରେଣୀର ଲୋକଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆନଯାଉ। ସାମାଜିକ କର୍ମୀ, ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କ ଜବାବ ମାଗିଛନ୍ତି। ଏଥିସହ କହିଛନ୍ତି, ସାଧାରଣ ଲୋକ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି।

ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ବୋଲି କୋର୍ଟ କହିବା ସହ କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଏପ୍ରିଲ ୧୦ରେ କୋର୍ଟ ପୁଣି ଥରେ ଏହି ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ବଢୁଥିବା ଦୁର୍ନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍ ବି. ଭି. ନାଗରତ୍ନା କହିଛନ୍ତି, ଆମକୁ ରାଷ୍ଟ୍ର ନିର୍ମାତା ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ କେ. ଏମ୍. ଯୋଶେଫ ଓ ଜଷ୍ଟିସ ବିଭି ନାଗାରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଓ ଟିପ୍ପଣୀ ଦେଇଛନ୍ତି। ଉପାଧ୍ୟାୟଙ୍କ ଆବେଦନରେ କୁହାଯାଇଛି ଯେ ଯଦି ହତ୍ୟା, ବଳାତ୍କାର ଆଦି ଗୁରୁତର ଅପରାଧ ପାଇଁ ଅଦାଲତ ଦ୍ୱାରା ଅଭିଯୋଗ ନିର୍ଦ୍ଧାରଣ କରାୟାଏ ତେବେ ଜଣେ ବ୍ୟକ୍ତି ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।

ପୂର୍ବରୁ ଏହି ଆବେଦନ ଉପରେ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେମାନେ ଏଯାଏଁ ଜବାବ ଦାଖଲ କରିନାହାନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଓକିଲ ଅମିତ ଶର୍ମା କହିଛନ୍ତି ଯେ ଏହି ଆବେଦନରେ ଦାବି ସଂସଦର ପରିସରଭୁକ୍ତ ହୋଇଛି। ଏହି ମାମଲାରେ କମିସନ ଜବାବ ଦାଖଲ କରିବେ।

ଖଣ୍ଡପୀଠ କହିଛନ୍ତି ଯେ ସମସ୍ତଙ୍କୁ ଜବାବ ଦାଖଲ କରିବା ପାଇଁ ତିନି ସପ୍ତାହର ଶେଷ ସୁୟୋଗ ଦିଆଯାଉଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ରେ ହେବ। ଯଦି ରାଜନୈତିକ ଦଳ ଅପରାଧିକ ପୃଷ୍ଠଭୂମିକୁ ଠାବ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏହା ସମସ୍ୟା ହେବ ବୋଲି କୋର୍ଟ କହିଛନ୍ତି।

ନିର୍ବାଚନ କମିସନଙ୍କ ଓକିଲ କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେବା ପରେ ସ୍ଥଗିତାଦେଶ ରହିବା ସମ୍ଭବ, କିନ୍ତୁ ଏହି ଆବେଦନରେ ଚାର୍ଜସିଟ୍ ଦାଖଲ ଉପରେ ସ୍ଥଗିତାଦେଶ ଲାଗି ଆବେଦନ କରାଯାଇଛି। ଜଷ୍ଟିସ ଯୋଶେଫ ମନ୍ତବ୍ୟ ଦେଇଛନ୍ତି, ଗଣତନ୍ତ୍ର ନାମରେ କ’ଣ ଘଟୁଛି… ଆମେ କୌଣସି ମନ୍ତବ୍ୟ ଦେବୁ ନାହିଁ।

ଯଦି ଆମକୁ ପ୍ରକୃତରେ ଏକ ରାଷ୍ଟ୍ରର ନିର୍ମାଣ କରିବାକୁ ହେବ, ତେବେ ଆମକୁ ଆମର ନୈତିକ ମୂଲ୍ୟବୋଧକୁ ଫେରିଯିବାକୁ ହେବ ବୋଲି ସେ କହିଥିଲେ। ସାଧାରଣ ଲୋକ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି। ସବୁ ସ୍ତରରେ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି।

Comments are closed.