Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ବେଶ ମାନଙ୍କ କଥା ଆଲୋଚନା କରିବାକୁ ଅନ୍ତର କହୁଛି। ଅବଶ୍ୟ କାର୍ତ୍ତିକ ମାସରେ ପ୍ରଭୁଙ୍କର ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏ ଜାରି ରହିଛି ରାଧା -ଦାମୋଦର ବେଶ। ନାମରୁ ଜାଣିହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଏବେ ଅଛନ୍ତି ଦାମୋଦର ବା ଶ୍ରୀକୃଷ୍ଣ ରୂପରେ। ଏହି ରୂପରେ ରହି ରାଧାଙ୍କ ସହ ପୂଜିତ ହେବା ପାଇଁ ସେ ମା ଲଷ୍ମୀ ଠାକୁରାଣୀଙ୍କଠାରୁ ଅନୁମତି ନେଇଛନ୍ତି। ଗୋଟିଏ ମାସ ଏହି ରାଧା -ଦାମୋଦର ବେଶ ଧାରଣ କରି ସମସ୍ତ ଶ୍ରଦ୍ଧାଳୁ ବିଶେଷ କରି ହବିଷ୍ୟାଳିମାନଙ୍କୁ ଦର୍ଶନ ଦେବା ସହ କାର୍ତ୍ତିକ ମାସର ମାହାତ୍ମ୍ୟ ପ୍ରତିପାଦିତ କରିଥାନ୍ତି। ଶ୍ରୀମଦ ଭଗବତ ଗୀତାରେ ସ୍ୱୟଂ ଶ୍ରୀକୃଷ୍ଣ ମାସମାନଙ୍କ ମଧ୍ୟରେ ମାର୍ଗଶିର ମାସକୁ ସବୁଠାରୁ ଶ୍ରେଷ୍ଠ କହିଥିଲେ ମଧ୍ୟ କାର୍ତ୍ତିକ ମାସରେ ଭଗବତ ଆରାଧନା, ଉପାସନା ଓ ପବିତ୍ର ଜୀବନ ଯାପନ ପାଇଁ ପଦ୍ମ ପୁରାଣର ଉତ୍ତରଖଣ୍ଡରେ କାର୍ତ୍ତିକ ମାସ ହିନ ଶ୍ରେଷ୍ଠ ଓ ପବିତ୍ର ବୋଲି ବର୍ଣ୍ଣିତ ହୋଇଛି। କେବଳ ସେତିକି ନୁହେଁ କାର୍ତ୍ତିକ ମାସରେ ପାଳନୀୟ କର୍ତ୍ତବ୍ୟ କଣ ତାହା ବି ଖୁବ ଆକର୍ଷକ ଭାବରେ ବର୍ଣ୍ଣିତ ହୋଇଛି ।

“ହରି ଜାଗରଣଂ ପ୍ରାତଃ ସ୍ନାନଂ ତୁଳସୀ ସେବନମ୍, ଉଦଯାପନଂ ଦୀପଦାନଂ ବ୍ରତାନ୍ୟେତାନି କାର୍ତିକେ।”
ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଅଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ମାସ ରୀତିନୀତି ବେଶ ଭୋଗ ଓ ବ୍ରତ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ। ଏହି ନୀତି ଭିତରେ ପ୍ରଭୁଙ୍କର ବେଶ ନୀତିଟି ଅତ୍ୟନ୍ତ ଗୁରୁତ୍ୱ ରଖେ। ଦୀର୍ଘ ଏକ ମାସ ଧରି ରାଧା -ଦାମୋଦର ବେଶ ସୁଚାରୁ ରୂପେ ସଙ୍ଗଠିତ ହୁଏ। ରାତ୍ର ଦୁଇଘଡି ଥାଉଁଣୁ ଆଳତି ଅବକାଶ ବଢ଼ି ଏହି ଅପୂର୍ବ ବେଶ ଆରମ୍ଭ ହୋଇଥାଏ ରାଧା -ଦାମୋଦର ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ର ତ୍ରିକଛ ପରିଧାନ କରନ୍ତି ହସ୍ତରେ ସୁବର୍ଣ୍ଣ ନୀଳଭୁଜ ଲାଗି ହୁଏ । ବାଉଁଶ ପାତିଆ ଓ ରଙ୍ଗୀନ କନା ରେ ନିର୍ମିତ୍ତ ଚୁଳ ତ୍ରିମୁଣ୍ଡି ଉପରେ ରହିଥାଏ । କର୍ଣ୍ଣରେ କୁଣ୍ଡଳ, କଟି ଦେଶରେ ଓଡ଼ିଆଣୀ, ମସ୍ତକରେ ତଡଗି ଚନ୍ଦ୍ର ସୂର୍ଯ୍ୟ ଓ ଚିତା ଆଦି ଲାଗି ହୁଏ । ଏହି ବେଶରେ ପ୍ରାୟ ତିରିଶି ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଶ୍ରୀଜୀଉ ମାନେ ଲାଗି ହୁଅନ୍ତି ଯଥା ଶ୍ରୀନୀଳଭୁଜ -୪ , କୁଣ୍ଡଳ -୪ , ତିଳକ -୨ , ଆଡ଼କାନି -୪ , ଚନ୍ଦ୍ରିକା -୨ , ଚନ୍ଦ୍ର ସୂର୍ଯ୍ୟ -୬ , ତଡକି -୨ ,ଓଡ଼ିଆଣୀ -୩ , ମାଳି -୩ ସର୍ବମୋଟ ୩୦ ମୂର୍ତ୍ତି ସୁନା ଅଳଙ୍କାର । ଏହାଛଡା ଶ୍ରୀଜୀଉ ମାନେ ପୁଷ୍ପ ଅଳଙ୍କାର, ବlରଲାଗି ପାଟ ଶାଢ଼ୀ, ଫୁଟା, ଶିରକପଡା, ପ୍ରହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଧାରଣ କରନ୍ତି। ଏହି ଅପୂର୍ବ ବେଶ ଧାରଣ ପରେ ହିଁ ଗୋପାଳ ବଲ୍ଳଭ ଭୋଗ ଲାଗି ହୁଏ। କାରଣ ଅତ୍ୟନ୍ତ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ପ୍ରଭୁଙ୍କର ଏହି ମନୋହର ବେଶ ମାସସାରା ଅର୍ଥାତ ଅଶ୍ୱିନୀ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦର୍ଶନ କରିଥାନ୍ତି। ଆଗକୁ ଜାଣିବା କାର୍ତ୍ତିକ ମାସର ଅନ୍ୟାନ୍ୟ ବେଶ ସମ୍ପର୍କରେ । ବର୍ତ୍ତମାନ ସମୟ ଆରାଧନା ଓ ରାଧା -ଦାମୋଦର ଚିନ୍ତନ।

“କାର୍ତିକେ ଅହଂ କରିଷ୍ୟlମୀ ପ୍ରାତଃ ସ୍ନାନଂ ଜନାର୍ଦ୍ଦନ,
ପ୍ରୀତ୍ୟର୍ଥଂ ତଵ ଦେବେଶ ଦାମୋଦର ମୟା ସହ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Comments are closed.