କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତିନି ଜଣକ ପାଇଁ ପୋଷାକ ବାହାର କରିବାକୁ ଆଲମାରୀ ପାଖକୁ ଯିବା ପୂର୍ବରୁ ଖଟର ମୁଣ୍ଡ ପାଖରେ ଥିବା ବେଞ୍ଚ ଉପରେ ତିନି ଥାକ ହୋଇ ରଖାଯାଇଥିବା ଶାଢ଼ୀ, ପ୍ୟାଣ୍ଟସାର୍ଟ ଓ ବିଶ୍ୱାସର ଡ୍ରେସକୁ ଦେଖି ସେ ବିସ୍ମିତ ହୋଇଉଠିଲା । ଯେଉଁ କେତେକ ଶାଢ଼ୀ, ପେସାର୍ଟ ଅପରିଷ୍କାର ହୋଇଥିଲା, ଆସନ୍ତାକାଲି ରବିବାର, ସେଗୁଡ଼ିକୁ ସଫା କରିବ ବୋଲି ସେ ଠିକ୍ କରିଥିଲା, ବର୍ତ୍ତମାନ ସଫା ହୋଇ ଇସ୍ତ୍ରୀ ଅବସ୍ଥାରେ ସେ ସବୁ
ବେଞ୍ଚ ଉପରେ ତିନି ଥାକ ହୋଇ ରଖାଯାଇଛି । ଭିତରେ ରହି ସେ ସରୋଜଙ୍କୁ ଡାକିଲା । ସେଭିଂ ହେଉଥିବା ଅବସ୍ଥାରେ ଦାଢ଼ିରେ ସାବୁନ୍ ମାଖିମାଖି ସେ ଭିତରକୁ ଆସିଲେ । ତାକୁ ଦେଖି ସେ ପଚାରିଲା-
ଏସବୁ ଅପରିଷ୍କାର ଲୁଗା ଏଠିକୁ କିପରି ଆସିଲା ?
– ଉଁ…. । ଅନ୍ୟମନସ୍କ ଭାବେ ସେ ଉଚ୍ଚାରଣ କଲେ ।
– ନା… ନା…, ଏ ଲୁଗାସବୁ ପରିଷ୍କାର ହୋଇ ଏଠି କେମିତି ରହିଲା ?
– ସେ କିଛି ନୁହେଁ, ମୁଁ ସଫାକରି ରଖିଦେଇଛି, ଆଜି ।
– ଆପଣ ସଫା କରିଛନ୍ତି ମୋର ଶାଢ଼ୀ, ବ୍ଲାଉଜ୍… ?
– ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ‘ମାନବିକତା’ ଶବ୍ଦ ଉପରେ
ଖାଲି ତମର ତ ଏକଚାଟିଆ ଅଧିକାର ନାହିଁ ନା…. ? ଦିନସାରା ଘର କାମ , ଅଫିସ କାମ କରିକରି ତମେ ନୟାନ୍ତ ହେବ, ଆଉ ମୁଁ କେବଳ ବସି ବସି ସବୁ ସମୟ ହତ୍ୟା କରି ଚାଲିଥିବି ।
ସେ ପୁଣି କଣ୍ଠସ୍ୱରକୁ ବଦଳାଇ ଜଣେ ବଡ଼ଭାଇର ନମନୀୟ ଆଦରପଣରେ ତାଙ୍କ ଛୋଟ ଭଉଣୀକୁ ବୁଝାଇଲା ଭଲି କହିଲେ- ମି ପ…ନାୟକଙ୍କ ଫେରିବା ଦିନ ପାଖେଇ ଆସିଲାଣି । ଦର୍ପଣରେ ନିଜକୁ ଥରେ ଦେଖିଲ । ମତେ ଆଶ୍ରୟ ଦେବା ଦିନଠାରୁ ତମେ କେତେ ଦୁର୍ବଳ ହୋଇଯାଇଛ ? ମୋ ପାଇଁ ଅନେକ ପରିଶ୍ରମ କରୁଛ…….. ଅନେକ ଅର୍ଥ ଖର୍ଚ୍ଚ କରିଛ… । କାହିଁକି ପଦ୍ମିନୀ… ?
ଅପରାହ୍ନର କ୍ଷୀଣ ଆଲୋକରେ ସେ ଦେଖିଲେ ପଦ୍ମିନୀ ନିର୍ବୋଧ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଛି ।
ସମ୍ଭବତଃ ସେ ଭାବୁଛି, ସରୋଜ ତା’ର କିଏ ? କେତେ ଦିନପାଇଁ ସେ ତାଙ୍କୁ ଘରେ ଆଶ୍ରୟ ଦେଇପାରିବ ? ଯେତେବେଳେ ତାଙ୍କୁ ନେଇ ବହୁ କାଳ୍ପନିକ କାହାଣୀ ସାହି ପଡ଼ିଶାଠୁ ଆରମ୍ଭ କରି ସାରା ରାଜଧାନୀରେ ପ୍ରଚାର ହେବ, ତେବେ ସେ କି ପ୍ରକାର ଉର ଦେଇ ଲୋକମାନଙ୍କ ମୁହଁକୁ ବନ୍ଦ କରି ଦେଇପାରିବ ? ଜଣେ ଅସହାୟ ଲୋକକୁ ଆଶ୍ରୟ ଦେଇଥିବା ଘଟଣା କ’ଣ କୁଟିଳ ସମାଜରେ ସରଳ ଭାବେ ବିଶ୍ୱାସଯୋଗ୍ୟ ହୋଇପାରିବ ?
Comments are closed.