ଭୁବନେଶ୍ବର: ପଦୋନ୍ନତି ପାଇବାର ୨୪ ଘଣ୍ଟା ଯାଇନି, ଧରିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି କୋରାପୁଟରେ। ଗତକାଲି ଅର୍ଥାତ ୬ ତାରିଖ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଅଫିସ ବୋଲେରୋ(OD-05-AM 1928)ରେ ଭୁବନେଶ୍ବର ଯାଉଥିଲେ । କୌଣସି ସୂତ୍ରରୁ ସୂଚନା ପାଇଁ ତାଙ୍କୁ କୋରାପୁଟ ସହରପାଖରେ ମାଡି ବସିଲା ଭିଜିଲାନ୍ସ ଟିମ୍ । ତାଙ୍କ ପାଖରୁ ଏକ ଲକ୍ଷ ୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସୁରଜିତ ସାହୁ ତାଙ୍କ ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କୁଆଡେ କହିଥିଲେ। ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ସେ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ପଚାର ଉଚୁରା କରୁଛି। ତେବେ ଶ୍ରୀ ସାହୁ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବାରୁ ଉକ୍ତ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି ।
ଏହି ଘଟଣା ପରେ ଶ୍ରୀ ସାହୁଙ୍କ ଲମତାପୁଟ ସ୍ଥିତ ସରକାରୀ ବାସଭବନ ୬ ଜଣିଆ ଭିଜିଲାନ୍ସ ଟିମ ଚଢାଉ କରିଥିବାବେଳେ ଭୁବନେଶ୍ୱର ସ୍ଥିତ ନିଜ ଘର ଉପରେ ମଧ୍ୟ ଏକକାଳୀନ ଚଢାଉ ଚାଲିଛି । ଏହି ଚଢାଉରେ କ’ଣ ଜବତ ହୋଇଛି, ଆୟ ବହିର୍ଭୂତ ସମ୍ପତି ମିଳିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
Comments are closed.