ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠାରେ ଫଗୁଣର ଫଗୁର ରଙ୍ଗରେ ଉତ୍ସବ ମୁଖର ପରିବେଶ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ରଙ୍ଗ ଖେଳିଛନ୍ତି ଦୋଳଗୋବିନ୍ଦ।
ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ। ଦୋଳବେଦୀରେ ଅବିର ଖେଳରେ ମାତିଛନ୍ତି ଦୋଳଗୋବିନ୍ଦ । ଆଜି ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ , ଭୂଦେବୀ ଓ ଶ୍ରୀଦେବୀ ବିମାନରେ ଦୋଳବେଦୀକୁ ବିଜେକରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ ।
ସେପଟେ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ । ସକାଳ ଧୂପ ସମୟରେ ମହାପ୍ରଭୁଙ୍କର ଏହି ବେଶ କରାଯାଇଥିବା ବେଳେ ଶ୍ରୀଜିଉମାନେ ପାଟବସ୍ତ୍ର ସହ ୩୨ ପ୍ରକାରର ଅଳଙ୍କାର ଲାଗି ହୋଇଥିଲେ । ସକାଳ ପରଠାରୁ ୧୧ଟା୧୦ ରେ ସୁନାବେଶ ଶେଷହେବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ରାତ୍ର ୧୦ଟା ଯାଏଁ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସେପଟେ ଦୋଳବେଦୀରେ ଠାକୁରଙ୍କ ସକାଳ ଧୂପ ଠାରୁ ଆରମ୍ଭ କରି ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତି ହେବ ।
ରତ୍ନସିଂହାସନ ଉପରେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିବା ସହ ଦୋଳବେଦୀରେ ଭକ୍ତି, ପ୍ରେମ ଓ ରଙ୍ଗରେ ଏକାକାର ହୋଇଯାଇଥିଲେ ଭକ୍ତ ଆଉ ଭଗବାନ ।
Comments are closed.