Latest Odisha News

BREAKING NEWS

କଫ ସିରପ ରାକେଟର ପର୍ଦ୍ଦାଫାଶ, ଚେର ଲମ୍ବିଛି ବଲାଙ୍ଗୀରରୁ ପଶ୍ଚିମବଙ୍ଗ

ଭୁବନେଶ୍ୱର: କଫ ସିରପ ମାଫିଆଙ୍କ ବିରୋଧରେ ବଲାଙ୍ଗୀର ପୋଲିସ ତାର ‘ମିଶନ କଫ ସିରପ’ ଅଭିଯାନରେ ଏକ ବଡ ସଫଳତା ହାସଲ କରି ରବିବାର ଏକ ଆନ୍ତଃରାଜ୍ୟ ସଙ୍ଗଠିତ ରାକେଟର ପର୍ଦ୍ଦାଫାଶ କରିଛି। ପୁଲିସ ୩୫ ଜଣ କଫ ସିରପ୍ ମାଫିଆଙ୍କୁ ଗିରଫ କରିବା ସହ ୩୫ ଲକ୍ଷ ଟଙ୍କାର ‘ଏସକଫ୍’ କଫ ସିରପ୍ ବୋତଲ ଜବତ କରିଛି। ଏତଦବ୍ୟତୀତ ପୁଲିସ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୨ କୋଟି ଟଙ୍କାକୁ ମଧ୍ୟ ଅଚଳ କରିଦେଇଛି।

ଏହି ରାକେଟ୍ ଏଯାବତ୍ ସବୁଠାରୁ ବଡ଼ ରାକେଟ୍ ବୋଲି କୁହାଯାଉଛି, ଯାହାର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ଏହି ରାକେଟ ବଲାଙ୍ଗୀରଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏ କିଭଳି ଚାଲିଥିଲା ତାର ପର୍ଦ୍ଧାଫାଶ କରିଛି।

ଏହି ଚଢାଉ ସମୟରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ମହିନ୍ଦ୍ରା ଏସୟୁଭି ଗାଡି, ୨ଟି ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି, ୨ଟି ମୋଟର ସାଇକେଲ, ନଗଦ ୭ହଜାର ୫ଶହ ଟଙ୍କା, ୧୭ଟି ମୋବାଇଲ, ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପଶ୍ଚିମବଙ୍ଗର କୋଲକାତାସ୍ଥିତ ମେସର୍ସ ଡ୍ୟାଫୋଡିଲ ଡ୍ରଗ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀର ୨ କୋଟି ଟଙ୍କା ପୁଲିସ ଦ୍ୱାରା ଜବତ କରାଯାଇଛି।

ସୋମବାର ବଲାଙ୍ଗୀର ଏସପି ନୀତିନ କୁଶଲକର କହିଛନ୍ତି, ସଙ୍ଗଠିତ ଅପରାଧ ବିରୋଧରେ ତଦନ୍ତ ଚାଲିଛି। ଏହି ରାକେଟକୁ ଧରିବାକୁ ଗୋଟିଏ ଟିମ୍ ଗୋଟିଏ ମାସ ହେବ ନିୟୋଜିତ ଥିଲା। ସେମାନଙ୍କ ଉପରେ ଚଢାଉ କରିବା ପୂର୍ବରୁ ସେମାନେ ବିଭିନ୍ନ ଉତ୍ସ ଏବଂ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରିଥିଲେ।

କଫ ସିରପ୍ ମାଫିଆଙ୍କ ଉଦ୍ଦେଶ୍ୟ ହେଉଛି ସେମାନେ ଭୋର୍ ୩ଟା, ୪ଟା ଓ ୫ଟା ଭଳି ସମୟରେ ବେଆଇନ୍ କାର୍ଯ୍ୟକଳାପ କରନ୍ତି। ଯେଉଁଥିପାଇଁ ଏହି ଚୋରା ବେପାରର ପର୍ଦ୍ଦାଫାସ କରିବା ପାଇଁ ପୋଲିସକୁ ଦିନରାତି ଏକ କରିଦେବାକୁ ପଡିଥିଲା। ତଥ୍ୟ ସଂଗ୍ରହ କରିବା ପରେ ସେଗୁଡ଼ିକର ଅନୁଧ୍ୟାନ କରାଯାଇଥିଲା। ଏହି ରାକେଟର ଦୁଇ ପ୍ରମୁଖ ଅଭିଯୁକ୍ତ ହେଉଛନ୍ତି ସନା ନେଗି ଓ ପ୍ରଶାନ୍ତ ଖେତି। ପ୍ରଶାନ୍ତ ଖେତିଙ୍କୁ ଗିରଫ କରାଯାଇଛି ଏବଂ ସାନା ନେଗିଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲାର ଶୀର୍ଷ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପଚରାଉଚରା ସମୟରେ ଜଣେ ଅଭିଯୁକ୍ତ ସୂଚନା ଦେଇଛି ଯେ ପଶ୍ଚିମବଙ୍ଗର କୋଲକୋତାସ୍ଥିତ ମେସର୍ସ ଡ୍ୟାଫୋଡିଲ ଡ୍ରଗ୍ସ ପ୍ରାଇଭେଟ୍ ଲିମିଟେଡ୍ ଏହି ବେଆଇନ କାରବାର ପାଇଁ କିଛି ଟଙ୍କା ପାଉଛି।

Comments are closed.