Latest Odisha News

BREAKING NEWS

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରାର ଆଲୋଚନା ବେଳେ ଆମେମାନେ ଗୋଟିଏ ଗୋଟିଏ ଏମିତି ବେଶ କଥା ଆଲୋଚନା ପରିସରକୁ ଆଣିଥାଏ ଯାହା ଶ୍ରୀମନ୍ଦିର ରୀତିନୀତି ସହ ସାମିଲ ଥିଲେ ମଧ୍ୟ ଏହା ପଛରେ ଥାଏ ଜଣେ ଜଣେ ଭକ୍ତଙ୍କ ସୁନ୍ଦର କାହାଣୀ। ଉଦାହରଣ ସ୍ୱରୂପ ସ୍ନାନ ବେଦୀରେ ଗଜାନନ ବେଶ, ଭକ୍ତ ଗଣପତି ଭଟ୍ଟଙ୍କ କିମ୍ବଦନ୍ତୀ ଏହାର ମୂଖ୍ୟ ପୃଷ୍ଠଭୂମି ବୋଲି ଆମେ ଜାଣିଛେ। ସେହିଭଳି ଏକ ଅତ୍ୟନ୍ତ ପ୍ରଚଳିତ କିମ୍ବଦନ୍ତୀ ହେଲା ଭକ୍ତ ମନୋହର ଦାସଙ୍କର, ଶ୍ରୀଜଗନ୍ନାଥଙ୍କୁ କେବଳ ପଦ୍ମ ପୁଷ୍ପରେ ସଜ୍ଜିତ କରିବାର ପ୍ରୟାସ ଓ ଶ୍ରୀଜଗନ୍ନାଥଙ୍କ କୃପା ପ୍ରାପ୍ତିର ଅପୂର୍ବ ଗାଥା ଏହି କିମ୍ବଦନ୍ତୀ ବା ଜନଶ୍ରୁତିରେ ବର୍ଣ୍ଣିତ ହୁଏ । ଆପଣମାନେ ଅନୁମାନ କରିସାରିଲେଣି ନିଶ୍ଚୟ ଆଜିର ବର୍ଣ୍ଣିତ ବେଶ ହେଉଛି “ପଦ୍ମ ବେଶ ” ଅଥବା “ପଦ୍ମମୁଖ ବେଶ “। ମାଘ ମାସ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ଶନିବାର ବା ବୁଧବାର ଏହି ବେଶ ହୋଇଥାଏ। ଇତିହାସ କହେ ସପ୍ତଦଶ ଶତାବ୍ଦୀରେ ସନ୍ଥ ରଘୁବର ଦାସ ଏହି ବେଶକୁ ନିୟମିତ ଭାବେ ପ୍ରଚଳନ କରାଇଥିଲେ। ବର୍ତ୍ତମାନ ବଡ଼ଛତା ମଠ ଏହି ବେଶକୁ ପ୍ରତିବର୍ଷ କରାଉଛନ୍ତି। ଅର୍ଥାତ ଏହିବେଶ ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ବା ଉପକରଣ ଏହି ବଡ଼ ଛତା ମଠ ହିଁ ପ୍ରଦାନ କରିଥାଏ । ମୂଖ୍ୟତଃ ପଦ୍ମ ଫୁଲରେ ଏହି ବେଶ ହେବା କଥା, କାରଣ ଭକ୍ତ ମନୋହର ଦାସ ଅନେକ ଶ୍ରମ ସ୍ବୀକାର କରି କେବଳ ପଦ୍ମ ଫୁଲରେ ପ୍ରଭୁଙ୍କର ବେଶ ପାଇଁ ପଦ୍ମ ଫୁଲର ଭାର ଧରି ଶ୍ରୀକ୍ଷେତ୍ର ରେ ପହଞ୍ଚି ଥିଲେ। ଫୁଲଗୁଡିକ ମଉଳି ଯାଇଥିବାରୁ ସେବକମାନେ ଏହା ଗ୍ରହଣ କଲେ ନାହିଁ। କିନ୍ତୁ ଭକ୍ତର ମନ ରକ୍ଷା ସହ ମାନ ରକ୍ଷା ପାଇଁ ଶ୍ରୀଜଗନ୍ନାଥ ଚମତ୍କାର କରିଲେ ଓ ଏହାକୁ ଗ୍ରହଣ କଲେ। ଏବେ କିନ୍ତୁ ଏତେ ପରିମାଣ ପଦ୍ମ ସଂଗ୍ରହ କଷ୍ଟସାଧ୍ୟ ହୋଇଯିବାରୁ ମଠ ତରଫରୁ ସୋଲ, ଜରି ସହ କିଛି ପରିମାଣରେ ପଦ୍ମ ଫୁଲ ବ୍ୟବହାର କରି ଏହି ବେଶର ଆୟୋଜନ ହେଉଛି, ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରାତ୍ର ଚନ୍ଦନ ପରେ ବଡ଼ ସିଂହାର ବେଶ ସମୟରେ ଏହି ବେଶ ହୋଇଥାଏ। ତେଣୁ ଖୁବ କମ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ବେଶ ଦର୍ଶନର ସୁଯୋଗ ପାଇଥାନ୍ତି। ଏହି ବେଶରେ ହିଁ ପ୍ରଭୁଙ୍କର ପହୁଡ଼ ହୁଏ। ବେଶ ପରେ ପରେ ବଡ଼ଛତା ମଠ ତରଫରୁ କ୍ଷୀରି ଓ ଅମlଲୁ ଭୋଗ ହୋଇଥାଏ। ସହଜେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖକୁ ପଦ୍ମମୁଖ କହିଥାଉ। ସେଥିରେ ଏହି ପଦ୍ମମୁଖ ବେଶ ଆହୁରି ଆକର୍ଷଣୀୟ ହୋଇ ଥାଏ। ଆସନ୍ତୁ ସେହି ପଦ୍ମମୁଖଙ୍କୁ କରିବା ଆରାଧନା ଓ ତାସହ କରିବା ଭାଗବତ ପଠନ।

“ଯେ ପ୍ରାଣୀ ଲୋକ ତତ୍ତ୍ୱ ଜlଣେ
ମୋର ମହିମା ପରିମାଣେ ।
ବିଷୟା ଭ୍ରମରୁ ସଂସାରେ
ଆତ୍ମା କୁ ଆପଣେ ଉଦ୍ଧରେ ।
ଆତ୍ମା କୁ ବୁଝାଇ ଆପଣେ
ସୁମତି ଆତ୍ମା ଗୁରୁ ପଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.