Latest Odisha News

BREAKING NEWS

୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ମା’ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ସିଆଁରୁଇ ଗାଁରେ ୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ପୁଲିସ ଶନିବାର ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ନାଁ ବନ୍ଦନା ପାତ୍ର। ହତ୍ୟା କରିବାର ୧୨ ଦିନ ପରେ ମହିଳା ଜଣଙ୍କ ଗିରଫ ହୋଇଛନ୍ତି। ତାଙ୍କ ସ୍ୱାମୀ ବଳରାମ ପାତ୍ର ବୋଲି ଜଣାପଡ଼ିଛି।

ଶିଶୁଟି ନିଖୋଜ ଥିବା ନେଇ ପ୍ରଥମେ ଖବର ମିଳିଥିଲା। ଏହାପରେ ଗାଁ ପୋଖରୀରୁ ମୃତଦେହ ଜବତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏହାପୂର୍ବରୁ ପୁଲିସ ଏକ ମାମଲା ରୁଜୁ କରି ଶିଶୁଟିର ମା’ ଓ ଜେଜେମା’ଙ୍କ ସମେତ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୁଲିସ ବନ୍ଦନାଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ସେ ନିଜେ ନବଜାତ କନ୍ୟାକୁ ମାରି ପୋଖରୀରେ ଫିଙ୍ଗିଦେଇଥିଲା ବୋଲି କହିଥିବା ସୂଚନା ରହିଛି। ଏହା ପରେ ଶନିବାର ତାଙ୍କୁ ଆଇପିସିର ଧାରା ୩୦୨ ଓ ୨୦୧ରେ ଗିରଫ କରାଯାଇଛି। ପରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ମହିଳାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ତେବେ କେଉଁ କାରଣ ପାଇଁ ମହିଳା ଜଣଙ୍କ ନିଜ ନବଜାତ ଶିଶୁ କନ୍ୟାକୁ ମାରିଦେଲେ ତାହା ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁସାରେ ବଳରାମ ଏବଂ ବନ୍ଦନାଙ୍କର ଏହା ଦ୍ବିତୀୟ କନ୍ୟା ସନ୍ତାନ ଥିଲା। ବଡ ଝିଅର ବୟସ ୩ ବର୍ଷ। ୫ ତାରିଖ ଦିନ ପରିବାର ଲୋକେ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ବନ୍ଦନା କିନ୍ତୁ ଘରେ ନିଜ ନବଜାତଙ୍କ ସହ ମଶାରୀ ଭିତରେ ଶୋଇଥିଲେ। ଏହି ସମୟରେ ସେ ତାଙ୍କ ନବଜାତ ଶିଶୁକନ୍ୟାକୁ ମାରି ଦେଇ ପାଖରେ ଥିବା ପୋଖରୀରେ ଫିଙ୍ଗିଦେଇଥିଲେ। ପରିବାର ଲୋକେ ବିବାହ ଭୋଜିରୁ ଘରକୁ ଫେରିବା ପରେ ନବଜାତକୁ ଦେଖିବାକୁ ପାଇନଥିଲେ। ଏହାପରେ ବନ୍ଦନା କହିଥିଲେ ଯେ ତାଙ୍କ ଆଖି ଲାଗିଯାଇଥିଲା କେହି ବୋଧହୁଏ ଅପହରଣ କରିନେଇଛି ଶିଶୁ କନ୍ୟାକୁ।

Leave A Reply

Your email address will not be published.