Latest Odisha News

BREAKING NEWS

ବିଳାସପୂର୍ଣ୍ଣ ଶେଷଶଯ୍ୟା: ଏଠି ଶେଷକୃତ୍ୟ ସହ ଶୁଭକାମ ବି ହୁଏ

ନାଁ ତା’ର ଶ୍ମଶାନ । ହେଲେ ଥରେ ଦେଖିଲେ ଆଖି ଲାଖିଯିବ । ଘଡିଏ ଅଟକି ଯିବାକୁ ମନ କହିବ । ଶ୍ମଶାନ ନାଁ ଶୁଣିଲେ ମଣିଷ ମନରେ ଭୟ ଭାବ ସୃଷ୍ଟି ହେବା ସାଧାରଣ କଥା । ହେଲେ ଏ ଶ୍ମଶାନକୁ ଦେଖିଲେ ମନ କହିବ ଏଠାରେ ଦଣ୍ଡେ  ରହିଯିବାକୁ  ।

ଏହା ଏମିତି ଏକ ଶ୍ମଶାନ ଯେଉଁଠି ଖାଲି ଅଶୁଭ ନୁହେଁ ଶୁଭ କାମ ବି ହୋଇଥାଏ । ଶବ ଦାହ ସାଙ୍ଗକୁ ପ୍ରି ୱେଡିଂ ଫଟୋ ସୁଟ ମଧ୍ୟ କରାଯାଇଥାଏ । ଏମିତି ଶ୍ମଶାନ ରହିଛି ଗୁଜରାଟରେ ।

ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଡିସାଠାରେ ନିର୍ମିତ ଶ୍ମଶାନ ଘାଟ ସ୍ୱର୍ଗକୁ ବି ପଛରେ ପକେଇ ଦେବ । ଡିସାର ବନାସ ନଦୀ କୂଳରେ ରହିଛି ଏହି ଘାଟ  । ୧୪ ବିଘା ଜାଗାରେ ପ୍ରାୟ ୫ରୁ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶ୍ମଶାନ ଏକ ରାଜକୀୟ ଢଙ୍ଗ ଏବଂ ଅତ୍ୟନ୍ତ ବିଳାସମୟ ଶୈଳୀରେ ଗଠନ କରାଯାଇଛି । ଲୋକ ଏଠାରୁ ଅନ୍ତିମ ସଂସ୍କାର ପାଇଁ ତ ଆସନ୍ତି । ଏଥସହିତ ଜନ୍ମଦିନ ପାର୍ଟି, ପ୍ରି ୱେଡିଂ ଫଟୋ ସୁଟ କରିବା ପାଇଁ ବି ଆସନ୍ତି।

ଶ୍ମଶାନର ୮୦ ଭାଗ କାମ ପୂରା ହୋଇଗଲାଣି  ।ବର୍ତ୍ତମାନ ସୁଦ୍ଧା ୫ କୋଟି ଖର୍ଚ୍ଚ ହୋଇ ସାରିଲାଣି । ଏହି ଶ୍ମଶାନଘାଟକୁ ଆଖପାଖ ଲୋକମାନେ ମଧ୍ୟ ପିକନିକ କରିବା ପାଇଁ ଆସନ୍ତି । ଶ୍ମଶାନଘାଟକୁ ଆସିବାକୁ ଲୋକେ ଭୟ କରୁଥିବାବେଳେ ଏଠାକୁ ଲୋକ ଅବସର ବିନୋଦନ ପାଇଁ ଆସିଥାନ୍ତି। ଏହି ଶ୍ମଶାନଘାଟର ପ୍ରବେଶ ପଥକୁ ଏତେ ସୁନ୍ଦର ଭାବେ ନିର୍ମାଣ କରାଯାଇଛି, ଦେଖିଲେ ଲାଗିବ ଯେମିତି କୌଣସି ରିସୋର୍ଟର ପ୍ରବେଶପଥ । ଏଠାରେ ଶବ ଦାହ ପାଇଁ ଆଧୁନିକ ଡିଜାଇନରେ ସମେଣ୍ଟରେ ବଡ ବଡ ତୋରଣ କରାଯାଇଛି । ଛୋଟ ପିଲାଙ୍କ ସଂସ୍କାର ପାଇଁ ଅଲଗା ସ୍ଥାନ ରଖାଯାଇଛି ।

ଏହାବ୍ୟତୀତ ଏଠାରେ ପ୍ରାର୍ଥନା ଗୃହ, ବରିଷ୍ଠ ନାଗରିକଙ୍କ ପାଇଁ ପ୍ରାର୍ଥନା ଗୃହ, ଲାଇବ୍ରେରୀ, ବିଶାଳ ଉଦ୍ୟାନ, ପିଲାଙ୍କ ଖେଳିବା ପାଇଁ ସୁବିଧା, ସ୍ମାରକ ପରିସର, ସ୍ନାନାଗାର, ଶୌଚାଳୟ ଇତ୍ୟାଦି ବି ରହିଛି । ଏଥିସହିତ ଗାଁର ସଂସ୍କୃତିର ପେଟିଂ, ଏକ ପୁରୁଣା କୁଅ ରହିଛି । ଶ୍ମଶାନକୁ ଦୁଇଭାଗ କରାଯାଇଛି । ଗୋଟିଏ ଭାଗରେ ଅନ୍ତିମ ସଂସ୍କାର କାଯାଉଛି । ଅନ୍ୟ ଭାଗଟି ପିକନିକ ସ୍ପଟ । ଏହାର ସୌନ୍ଦର୍ଯ୍ୟ ଦେଖି ଲୋକେ ଏଠାକୁ ପ୍ରି ୱେଡିଂ ଫଟୋ ସୁଟ କରିବା ପାଇଁ ଆସୁଛନ୍ତି । ଏହା ଏବେ ଆଖପାଖ ଅଞ୍ଚଳ ଲୋକଙ୍କର ଆକର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି ।

 

Comments are closed.