Latest Odisha News

BREAKING NEWS

ଲିଖିତ ଉତ୍ତର ପଢ଼ିବା ନେଇ ବିଧାନସଭାରେ ବାକ୍ ଯୁଦ୍ଧ, ମୁହାଁମୁହିଁ ହେଲେ ନିରଞ୍ଜନ-ନରସିଂହ

ଭୁବନେଶ୍ୱର: ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବୁଧବାର ଓଡ଼ିଶା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ବକ୍ତବ୍ୟ ପଢ଼ି ଆପତ୍ତି କରିବା, ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ପାଇଁ ଅନୁଦାନ ଆଲୋଚନା ଦାବି ଉପରେ ଉତ୍ତର ରଖିଥିଲେ। ବିରୋଧୀ ସଦସ୍ୟମାନେ କହିଥିଲେ, ମନ୍ତ୍ରୀମାନେ ବଜେଟ୍ ଦସ୍ତାବିଜ ପଢ଼ିପାରିବେ, ଭାଷଣ ସମୟରେ ବହି, ଖବରକାଗଜ ଓ ଦସ୍ତାବିଜକୁ ଦେଖିପାରିବେ, କିନ୍ତୁ ଲିଖିତ ଭାଷଣ ପଢ଼ିପାରିବେ ନାହିଁ। ଏହି ପ୍ରସଙ୍ଗକୁ ବିରୋଧ କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି ବିକ୍ରମ କେଶରୀ ଆରୁଖାଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରିଛନ୍ତି।ଶୂନ୍ୟକାଳରେ ଲିଖିତ ବକ୍ତବ୍ୟ ପାଠ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବାକୁ ଅନୁମତି ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ନୋଟିସ୍ ଆଣିବାକୁ ଅନୁମତି ନଦେଇ କହିଥିଲେ, “ଏହା ଏବେ ପରୀକ୍ଷାଧୀନ ଅଛି।

ଏହାପରେ ନରସିଂହ ମିଶ୍ର କହିଛନ୍ତି, ମୁଁ ଅନୁମାନ କରୁଛି, ଯେହେତୁ ସ୍ୱାଧିକାର ନୋଟିସ୍ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥିଲା, ସେଥିପାଇଁ ଭିନ୍ନ ବିଚାର କରାଯାଉଛି। ପୂର୍ବରୁ ଅନେକ ଥର ମୋତେ ଏଭଳି ନୋଟିସ୍ ପଠାଇବାକୁ ଅନୁମତି ମିଳିଥିଲା।

ତାଙ୍କୁ ସମର୍ଥନ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ବାଚସ୍ପତିଙ୍କୁ କଂଗ୍ରେସ ନେତାଙ୍କୁ ନୋଟିସ୍ ଆଣିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ।

ଆମ ବ୍ୟବସ୍ଥା ଅନୁଯାୟୀ ବାଚସ୍ପତିଙ୍କ ବିନା ଆଗୁଆ ଅନୁମୋଦନରେ କେହି ଲିଖିତ ବକ୍ତବ୍ୟ ପଢ଼ିପାରିବେ ନାହିଁ। ବିଧାୟକ ଦଳ ନେତାଙ୍କୁ ଗୃହରେ ସ୍ୱାଧିକାର ନୋଟିସ୍ ଆଣିବାକୁ ଅନୁମତି ଦେବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଜବାବରେ ବାଚସ୍ପତି କହିଥିଲେ, ଉପଯୁକ୍ତ ଯାଞ୍ଚ ପରେ ନୋଟିସ୍ ଉପରେ ବିଚାର କରାଯିବ।

ଏହା ଉପରେ ପ୍ରତିକ୍ରିୟା ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ କହିଥିଲେ, “ମନ୍ତ୍ରୀମାନେ ଗୃହରେ ଭାଷଣ ଓ ଅନ୍ୟାନ୍ୟ ଦସ୍ତାବିଜ ପଢ଼ିପାରିବେ। ମୁଁ ମଧ୍ୟ ଅର୍ଥ ବିଭାଗର ପୋର୍ଟଫୋଲିଓ ସମ୍ଭାଳୁଛି। ମୁଁ କ’ଣ ଗୃହରେ ବଜେଟ୍ ଭାଷଣ ପଢ଼ୁନାହିଁ? ଏହି ପରମ୍ପରା ଲୋକସଭା ଓ ସାରା ଦେଶରେ ରହିଛି ବୋଲି ନିରଞ୍ଜନ ପୂଜାରୀ କହିଛନ୍ତି।

ଏହି ସମୟରେ ଟ୍ରେଜେରୀ ବେଞ୍ଚର ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

Comments are closed.