Latest Odisha News

BREAKING NEWS

ସରକାରୀ ସ୍କୁଲ ଗୁଡ଼ିକରେ ୫୦ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୩ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସମୀର ଦାଶ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୨୦୨୬ ଶିକ୍ଷକ ଓ ୨୦୬୪ କିରାଣୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ସେ ଆହୁରି ମଧ୍ୟ ଗୃହକୁ ସୂଚନା ଦେଇଥିଲେ ଯେ, ରାଜ୍ୟରେ ହାଇସ୍କୁଲ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ୨୮୦ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି। କେବଳ ସେତିକି ନୁହେଁ, ‘ମୋ ସ୍କୁଲ ଅଭିଯାନ’ରେ ୮୦୫.୧୪ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଭିନ୍ନ କାର୍ୟ୍ୟ ପାଇଁ ୫୭୮ କୋଟି ଟଙ୍କାର ବଜେଟ୍ ରହିଛି।

୫-ଟି ସ୍କୁଲରେ ଶିକ୍ଷକ ଅଭାବ ଓ ଦରମା ନମିଳିବା ନେଇ କିଛି ବିରୋଧୀ ଓ ଶାସକ ଦଳର ବିଧାୟକଙ୍କ ପ୍ରତିକ୍ରିୟାକୁ ନେଇ ସମୀର ଦାଶ କହିଥିଲେ ୫ଟି ସ୍କୁଲରେ ଦରମା ନମିଳିବା ପ୍ରସଙ୍ଗରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ।

ତାଙ୍କ କହିବା ଅନୁସାରେ, ୫-ଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ବିଦ୍ୟାଳୟର ରୂପରେଖ ବଦଳି ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩୪୬୧ଟି ବିଦ୍ୟାଳୟର ପରିବର୍ତ୍ତନ କରାଯାଇଛି। ସେହିପରି ତୃତୀୟ ପର୍ଯ୍ୟାୟରେ ୨୩୩୬ଟି ବିଦ୍ୟାଳୟର ପରିବର୍ତ୍ତନ କରାଯାଇଛି।

୫-ଟି ସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ଗୃହକୁ ସୂଚନା ଦେଇ ସମୀର ଦାଶ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଛି। ପ୍ରାୟ ୭ ହଜାର ଶିକ୍ଷକଙ୍କ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ଏକ ପରୀକ୍ଷା ହୋଇଥିଲା। ସେହିପରି ଆହୁରି ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଣିକି ରାଜ୍ୟରେ ଶିକ୍ଷକଙ୍କ ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.