Latest Odisha News

ସୁସ୍ଥ ରହିବାକୁ କରୁଥିଲେ ୮ ଘଣ୍ଟା ବ୍ୟାୟାମ: ଅଚଳ ହୋଇଗଲା ପୁରା ଶରୀର

ଚୀନ୍‌: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଏହା ସମସ୍ତେ ମତ ଦିଅନ୍ତି । କିନ୍ତୁ କେହି କେବେ ଭାବିଛନ୍ତି କି ମଣିଷ ପାଇଁ କେତେ ବ୍ୟାୟାମ କରିବା ଦରକାର ? ଅନେକ ଲୋକ କିଛି ନ ଜାଣି ବ୍ୟାୟାମ କରନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏପରି ପରିସ୍ଥିତିରେ ଚୀନର ଜଣେ ବ୍ୟକ୍ତି କିଛି ନ ବୁଝି ଦିନକୁ ୮ ଘଣ୍ଟା ବ୍ୟାୟାମ କରୁଥିଲେ । ଏବେ ସେ ଏହାର ପରିଣତି ଭୋଗୁଛନ୍ତି ।

ଚୀନ୍‌ର ହେନାନ ଅଞ୍ଚର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏତେ ପରିମାଣର ବ୍ୟାୟାମ କଲେ ଯେ, ଏବେ ସେ ଚାଲିବାକୁ ସକ୍ଷମ ନୁହଁନ୍ତି । ବ୍ୟକ୍ତି ଜଣଙ୍କୁ ଯେତେବେଳେ ୪୦ ବର୍ଷ ବୟସ ହୋଇଥିଲା ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କରିବେ ବୋଲି ସ୍ଥିର କଲେ । ପରେ ଜିମ୍‌ରେ ଜଏନ କଲେ । ଜିମ୍‌ରେ ବିଭିନ୍ନ ବ୍ୟାୟାମ କରିବା ସହ ପ୍ରତିଦିନ ସକାଳେ ଅଢେଇ ଘଣ୍ଟା ଦୌଡ଼ିବା, ୨ ଘଣ୍ଟା ଧରି ପହଁରୁଥିଲେ, ଦିନକୁ ୧୦୦ ଥର ପୁସ୍‌ଅପ୍ କରିବା ଓ ବ୍ୟାଡ଼ମିଣ୍ଟନ ବି ଖେଳୁଥିଲେ । ମୋଟାମୋଟି ଦେଖିବାକୁ ଗଲେ ଦୀର୍ଘ ୨୦ ବର୍ଷ ଧରି ନିରନ୍ତର ଭାବେ ଦିନକୁ ପ୍ରାୟ ୮ ଘଣ୍ଟା ଧରି ଏପରି ବ୍ୟାୟାମ କରୁଥିଲେ । ଅତ୍ୟଧିକ ବ୍ୟାୟାମ କରିବାରୁ ଧୀରେ ଧୀରେ ତାହା ତାଙ୍କ ଶରୀରରେ ନକରାତ୍ମକ ପ୍ରତିକ୍ରିୟା ଦେଖାଇଥିଲା । ତାଙ୍କ ଶରୀରର ବିଭିନ୍ନ ଗଣ୍ଠି ଓ କାନ୍ଧରେ ଯନ୍ତ୍ରଣା ମଧ୍ୟ ଆରମ୍ଭ ହେଲା । ଦିନକୁ ଦିନ ଯନ୍ତ୍ରଣା ଏତେ ବଢିଗଲା ଯେ, ସେ ଚାଲିବା ସମ୍ଭବ ହେଲାନାହିଁ । ଏପରି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଜାଣିବାକୁ ମିଳିଲା ଯେ, ତାଙ୍କର ଗୁରୁତର ଡିଜେରେଟିଭ୍ ଆର୍ଥ୍ରାଇଟିସ୍‌, ହାଇପରପ୍ଲାସିଆ ଏବଂ ଏଲବୋ ଗଣ୍ଠିର ମାଂସପେଶୀ ମଧ୍ୟ ନଷ୍ଟ ହୋଇଯାଇଛି । ଉ୍‌କ୍ତ ଡାକ୍ତରଖାନାର ଡାକ୍ତର ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି ଯେ, ଲୋକମାନେ ସହଜ ବ୍ୟାୟାମରୁ ଆରମ୍ଭ କରିବା ଦରକାର ଏବଂ ପ୍ରତିଦିନ କେବଳ ୧ ଘଣ୍ଟାରୁ ଦେଢ ଘଣ୍ଟା ବ୍ୟାୟାମ କରିବା ଉଚିତ୍ ।

Comments are closed.