Latest Odisha News

ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ନୂଆପଡ଼ା : ସ୍କୁଲ ଯିବା ପାଇଁ ନାହିଁ ପକ୍କା ସଡ଼କ । ୪୭ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ । ଅନ୍ଧାରଘେରରେ ଛାତ୍ରଛାତ୍ରୀଙ୍କ ଜୀବନ । ଏ ଦୃଶ୍ୟ ହେଉଛି ତୁକୁଲା ଗ୍ରାମପଞ୍ଚାୟତର ଫୁଣ୍ଡାପଦର ମୁରଲୀଧର ପ୍ରାଥମିକ ବିଦ୍ୟାଳୟର । ଗମନାଗମନ ରାସ୍ତା ବିପର୍ଯ୍ୟସ୍ତ ଥିବାବେଳେ ଗୋଟିଏ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଏଥିପ୍ରତି ପ୍ରଶାସନର ନାହିଁ ନିଘା ।

ଶିକ୍ଷାର ବିକାଶ ନାଁ ରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପାଇଁ ଏହା ସାତ ସପନ।୧୯୯୨ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ହେବା ପରଠୁ ଷଷ୍ଠ ଓ ସପ୍ତମ ଦୁଇ ଗୋଟି ଶ୍ରେଣୀ ପାଠ ପଢା ଚାଲିଛି । ହେଲେ ବିଡ଼ମ୍ବନାର ବିଷୟ ବିଦ୍ୟାଳୟ ଆରମ୍ଭ ହେବା ଦିନ ଠାରୁ କେବଳ ଗୋଟିଏ ଶିକ୍ଷକରେ ବିଦ୍ୟାଳୟ ଚାଲୁଅଛି ।

କିଛିଦିନ ପୂର୍ବେ ଜଣେ ଶିକ୍ଷକଙ୍କୁ ଡେପୁଟେସନ ଦେଇ ପୁଣି ତାଙ୍କୁ ନେଇ ଯାଇଥିବା ଅଭିଭାବକ ମାନେ କହିଛନ୍ତି । ବର୍ତ୍ତମାନ ଦୁଇ ଗୋଟି ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଜଣେ ଶିକ୍ଷକ ଅଫିସ କାମ ସହ ମଧ୍ୟାହ୍ନ ଭୋଜନ କାମ କରୁଛନ୍ତି । ଜଣେ ଶିକ୍ଷକ କିଛି ସମୟ ଷଷ୍ଠ ଶ୍ରେଣୀ ତ କିଛି ସମୟ ସପ୍ତମକୁ ଯାଇ ପାଠ ପଢ଼ାଇଥାନ୍ତି । ଏଥିରେ ପ୍ରତେକ ବର୍ଷ ପାଠ୍ୟ ଖସଡ଼ା ଅଧାରେ ରହିବା ସ୍ଵାଭାବିକ ।

ଜିଲ୍ଲା ଶିକ୍ଷା ବିଭାଗ ଏଥି ପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ବିଦ୍ୟାଳୟକୁ ଯିବା ରାସ୍ତା ପ୍ରତି ଧ୍ୟାନ ଦେଉନାହାଁନ୍ତି । ବର୍ଷା ହେବା ଫଳରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ପାଇଁ ବହୁତ ହଇରାଣ ହେଉଛନ୍ତି । ଏନେଇ ରାସ୍ତାର ମରାମତି ସହ ବିଦ୍ୟାଳୟ ପାଇଁ ଶିକ୍ଷକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସହ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟ ରେ ଶିକ୍ଷକ ଆବଶ୍ୟକ ଥିବା କଥା କହି ଯଥା ଶୀଘ୍ର ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ବିଦ୍ୟାଳୟ କୁ ଯିବା ରାସ୍ତା ବିପର୍ଯ୍ୟସ୍ତ ବାବଦରେ ଖଡ଼ିଆଳ ବିଡ଼ିଓ ଙ୍କୁ ପଚାରିବାରୁ ତଦନ୍ତ କରି ତାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।

Comments are closed.