Latest Odisha News

କୋଟିଆରେ ଭଡା ଘରେ ଚାଲିଛି ଆନ୍ଧ୍ର ସ୍କୁଲ

କୋରାପୁଟ: କୋଟିଆରେ ରହୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଉଥିବାର ନଜିର ରହିଛି। ସରକାରଙ୍କ ଯୋଜନା ଅନୁଯାୟୀ ଯେଉଁ ଅଭିଭାବକ ତାଙ୍କ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇବେ ତାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହିତ ମାଗଣାରେ ବହି, ଖାତା ଓ ସ୍କୁଲ ୟୁନିଫର୍ମ ବ୍ୟବସ୍ଥା ରହିଛି। ବିବାଦୀୟ ଅଞ୍ଚଳ ହୋଇଥିବାରୁ ଆନ୍ଧ୍ର ସରକାର ସ୍କୁଲ ନିର୍ମାଣ କରିବାକୁ ଚାହିଁ ବିଫଳ ହୋଇଥିଲା। ଯାହା ଏବେ ସେ ଏକ ଭଡା ଘରେ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ଭାବେ ଏକ ଝାଟିମାଟି ଘରେ ପ୍ରାଥମିକ ସ୍କୁଲ ଆରମ୍ଭ କରିଥିଲା ଆନ୍ଧ୍ର। କିନ୍ତୁ ବର୍ଷା ପବନରେ ଏହା ଭାଙ୍ଗିଯାଇଛି। ଏହାପରେ ଫାଟୁସେନେରିରେ ସୁକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ମାସିକ ୧୦ ହଜାର ଟଙ୍କାରେ ଭଡା ଆକାରରେ ନେଇ ସ୍କୁଲ ଖୋଲିଛି ଆନ୍ଧ୍ର ସରକାର। ଏହି ସ୍କୁଲରେ ବିଭିନ୍ନ ଶ୍ରେଣୀର ମୋଟ୍ ୧୭ ଜଣଙ୍କୁ ନେଇ ପାଠ ପଢ଼ା ଚାଲିଛି। ଜଣେ ଶିକ୍ଷକ ମଧ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି।  ଏଠାରେ ପଢୁଥିବା ପିଲାମାନେ ତେଲୁଗୁ ଭାଷାରେ ପାଠ ପଢ଼ୁଛନ୍ତି। ସ୍କୁଲରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଫଟୋ ମଧ୍ୟ ରହିଛି।

ଓଡ଼ିଶା ମାଟିରେ ଆନ୍ଧ୍ର ସରକାର ପିଲାଙ୍କୁ ତେଲୁଗୁ ଶିଖାଇ ଓଡ଼ିଆ ଭାଷାଭାଷିଙ୍କ ସଂଖ୍ୟା କମାଇବାକୁ ଆରମ୍ଭ କରିଛି ହୀନ ଚକ୍ରାନ୍ତ। ଆଉ ଯେଉଁ ଘର ସ୍କୁଲ ପାଇଁ ଭଡ଼ା ନିଆଯାଇଛି ସେହି ଘରର ମାଲିକ ଏଜେଣ୍ଟ ସାଜିଛନ୍ତି। ପ୍ରତି ପିଲା ପିଛା ଆନ୍ଧ୍ର ସରକାରଠୁ କମିଶନ ପାଉଥିବା ସୂଚନା ରହିଛି।

ଉଦବେଗର ବିଷୟ ହେଲା ସମାନ ଅଞ୍ଚଳରେ ରାଜ୍ୟ ସରକାରଙ୍କର ସ୍କୁଲ ରହିଛି। ଯାହାର ଭିତ୍ତିଭୂମି ରହିଛି। ହେଲେ ଏଠାରେ ପିଲାଙ୍କ ସଂଖ୍ୟା ସେଭଳି କିଛି ନାହିଁ। ଆନ୍ଧ୍ର ସ୍କୁଲରେ ନିୟୋଜିତ ଶିକ୍ଷକ ଏ. ଗଣେଶଙ୍କ କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେ ଏଠାପେ ପାଠ ପଢ଼ାଉଛନ୍ତି।

Comments are closed.