ଦିନେ ବ୍ରିଟେନ୍ରେ ସୂର୍ଯ୍ୟ ଅସ୍ତ ହେଉନଥିଲା; ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି ବିଶାଳ ସାମ୍ରାଜ୍ୟ, ୩୦୦ ବର୍ଷର ସମ୍ପର୍କ ଛିଡାଇ ଅଲଗା ହେବ ସ୍କଟ୍ଲାଣ୍ଡ !
ନୂଆଦିଲ୍ଲୀ: ଗ୍ରେଟ୍ ବ୍ରିଟେନ୍। ଦିନେ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହେଉନଥିଲା। ଅର୍ଥାତ ଏହାର ସାମ୍ରାଜ୍ୟ ଏତେ ବଡ଼ ଥିଲା ଯେ ପୃଥିବୀର ଅଧିକାଂଶ ଦେଶ ଏହାର ଶାସନରେ ଥିଲେ। ବ୍ରିଟେନ୍ ଶାସନାଧିନ ଥିବା ଗୋଟିଏ ଦେଶରେ ସୂର୍ଯ୍ୟ ଅସ୍ତ ହେଲେ ଅନ୍ୟ ଏକ ଦେଶରେ ଉଦୟ ହେଇଯାଉଥିଲା। ଏଥିପାଇଁ ବ୍ରିଟେନ୍ ସାମ୍ରାଜ୍ୟରେ କେବେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ବୋଲି କୁହାଯାଏ।
ପାଖାପାଖି ଅଧା ପୃଥିବୀକୁ ନିଜର ଗୁଲାମ କରି ରଖିଥିବା ‘ଦି ଗ୍ରେଟ ବ୍ରିଟେନ୍’ ଏବେ ଭାଗ ଭାଗ ହେବାରେ ଲାଗିଛି। ଭାରତ ଓ ଫିଲିପାଇନ୍ସକୁ ଦିନେ ଭାଗ କରିଦେଇଥିବା ଇଂଲଣ୍ଡର ଅବସ୍ଥା ଶୋଚନୀୟ। ନିଜ ଦେଶର ନାଗରିକମାନେ ଏବେ ନିଜେ ବିଦ୍ରୋହ କରି ଅଲଗା ହେବାକୁ ଚାହୁଁଛନ୍ତି। କୁହାଯାଉଛି ଯେ ବ୍ରିଟେନ୍ ଠାରୁ ସ୍କଟ୍ଲାଣ୍ଡ ଏବେ ଅଲଗା ହେଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବ।
କାରଣ ସ୍କଟ୍ଲାଣ୍ଡରେ ଏବେ ଜଣେ ନୂଆ ନେତା ନିର୍ବାଚିତ ହୋଇଛନ୍ତି। ସେ ହେଲେ ମୂଳ ପାକିସ୍ତାନୀ ସ୍କଟ୍ଲାଣ୍ଡ ନାଗରିକ ହମ୍ଜା ୟୁସୁଫ। ସେ ସ୍କଟିସ ନ୍ୟାସ୍ନାଲ ପାର୍ଟିର ଫାଷ୍ଟ ମିନିଷ୍ଟର (ପ୍ରଥମ ମନ୍ତ୍ରୀ) ଭାବେ ନିର୍ବାଚିତ ହୋଇଛନ୍ତି। ଦେଶରେ ପ୍ରଥମ ମୁସଲମାନ ଭାବେ ଏହି ପଦ ଅଳଂକୃତ କରିଛନ୍ତି। ସ୍କଟ୍ଲାଣ୍ଡର ଫାଷ୍ଟ ମିନିଷ୍ଟର ଅର୍ଥାତ ସେଠାକାର ପ୍ରଧାନମନ୍ତ୍ରୀ ଯାହାଙ୍କ ହାତରେ ସମସ୍ତ କାର୍ଯ୍ୟପାଳିକାର ଅଧିକାର ରହିଥାଏ।
ହମ୍ଜା ୟୁସୁଫ୍ ଯେଉଁ ପ୍ରସଙ୍ଗକୁ ଲୋକଙ୍କ ମଧ୍ୟରେ ଉଠାଇ ନିର୍ବାଚନ ଜିତି ଦେଶର ଫାଷ୍ଟ ମିନିଷ୍ଟର ହୋଇଛନ୍ତି ତାହା ହେଲା ବ୍ରିଟେନ୍ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବା। ସ୍କଟଲାଣ୍ଡର ଲୋକଙ୍କୁ ସ୍ୱାଧୀନ ଦେଶ ଗଠନର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ହମ୍ଜା ୟୁସୁଫ୍ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାମ ଆରମ୍ଭ କରିଦେଇଥିବା କୁହାଯାଉଛି। ଯଦି ଏମିତି ହୁଏ ତେବେ ଆୟରଲାଣ୍ଡ ପରି ସ୍କଟଲାଣ୍ଡ ବି ବ୍ରିଟେନ୍ ଠାରୁ ଅଲଗା ହୋଇଯିବ। ବ୍ରିଟେନ୍ ଭୌଗଳିକ ସୀମା ହ୍ରାସ ପାଇବ।
ଦିନେ ବିଶ୍ୱର ନିଜର ଆଧିପତ୍ୟ ବିସ୍ତାର କରିଥିବା ବ୍ରିଟେନ୍ର ଅବସ୍ଥା ଆଜି କେମିତି ଏମିତି ହେଲା ସେ ବିଷୟରେ ଜାଣିବା ପାଇଁ ବ୍ରିଟେନ୍ର ଇତିହାସ ବିଷୟରେ ଜାଣିବାକୁ ପଡ଼ିବ।
ବିଶ୍ୱ ମାନଚିତ୍ରକୁ ଦେଖିଲେ ବ୍ରିଟେନ୍ ୟୁରୋପିୟ ମହାଦ୍ୱୀପର ଉତ୍ତର-ପଶ୍ଚିମ ତଟରେ ଅବସ୍ଥିତ। ଗ୍ରେଟ୍ ବ୍ରିଟେନ୍ର ପୂରା ନାଁ ୟୁନାଇଟେଡ୍ କିଙ୍ଗ୍ଡମ ଅଫ୍ ଗ୍ରେଟ୍ ବ୍ରିଟେନ୍ ଆଣ୍ଡ ନର୍ଦନ ଆଇଲାଣ୍ଡ। ଏହି ଦେଶ ୪ ଟି ଛୋଟ ଛୋଟ ରାଜ୍ୟକୁ ମିଶି ହୋଇଛି। ଏହି ରାଜ୍ୟଗୁଡ଼ିକ ହେଲା- ଇଂଲଣ୍ଡ, ୱେଲ୍ସ, ନର୍ଦ୍ଦନ ଆୟରଲାଣ୍ଡ ଓ ସ୍କଟଲାଣ୍ଡ। ୧୯୨୨ ମସିହାରେ ଅଲଗା ହେବା ପୂର୍ବରୁ ଆୟରଲାଣ୍ଡ ବି ଗ୍ରେଟ ବ୍ରିଟେନ୍ ସହ ମିଶି ରହିଥିଲା। ହେଲେ ଏବେ ଏହି ଦେଶର ଏକ ଛୋଟ ଅଂଶ ନର୍ଦ୍ଦନ ଆଇଲାଣ୍ଡ ବ୍ରିଟେନ୍ ସହ ମିଶି ରହିଛି।
୪ ରାଜ୍ୟ ମିଶି ତିଆରି ହୋଇଛି ଗ୍ରେଟ୍ ବ୍ରିଟେନ୍ ବା ୟୁନାଇଟେଡ୍ କିଙ୍ଗଡମ୍
ଇଂଲଣ୍ଡ, ୱେଲ୍ସ, ନର୍ଦ୍ଦନ ଆୟରଲାଣ୍ଡ ଓ ସ୍କଟଲାଣ୍ଡ ରାଜ୍ୟ ମିଶି ଯଦିଓ ଗୋଟିଏ ଦେଶ ଗ୍ରେଟ୍ ବ୍ରିଟେନ୍ର ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ଏହି ୪ ରାଜ୍ୟର ନିଜସ୍ୱ ପରିଚୟ ଓ ନିଜସ୍ୱ ଭାଷା ରହିଛି। ଏମାନଙ୍କୁ ସ୍ୱତନ୍ତ୍ର ଅଧିକାର ମଧ୍ୟ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକରେ ନେତାମାନଙ୍କ ଠାରୁ ନେଇ ଭାଷା ସବୁ ଅଲଗା। ପୂରା ୟୁକେର ଯଦିଓ ଇଂରଜୀକୁ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି ତେବେ ୱେଲ୍ସରେ ୱେଲ୍ସ ଭାଷା, ସ୍କଟଲାଣ୍ଡରେ ସ୍କଟିସ୍ ଭାଷାର ବ୍ୟବହାର କରାଯାଇଥାଏ।
ବ୍ରିଟେନ୍ର କାହାଣୀ-
ସ୍କଟ୍ଲାଣ୍ଡ ବ୍ରିଟେନ୍ରେ ମିଶିବା ପୂର୍ବରୁ ଏକ ସ୍ୱତନ୍ତ୍ର ଦେଶ ଥିଲା। ୧୬୦୩ରେ ଇଂଲଣ୍ଡ ରାଣୀ ଏଲିଜାବେଥ ପ୍ରଥମଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ଏଥିପାଇଁ ଇଂଲଣ୍ଡର ମୁକୁଟ ସ୍କଟ୍ଲାଣ୍ଡର ରାଜା ଜେମ୍ସ VI ପାଖକୁ ଚାଲିଯାଇଥିଲା। ସ୍କଟ୍ଲାଣ୍ଡର ଇଂଲଣ୍ଡ ସହ ବିଲୟର ମୂଳଦୁଆ ଏଇଠୁ ପଡ଼ିଥିଲା। ଏହି ବର୍ଷ ୱେଲ୍ସ ଓ ସ୍କଟ୍ଲାଣ୍ଡ ଦୁହେଁ ଇଂଲଣ୍ଡ ସହ ମିଶି ଏକ ନୂଆ ଦେଶ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୭୦୭ରେ ସ୍କଟ୍ଲାଣ୍ଡ ଓ ଇଂଲଣ୍ଡ ଏକ ରାଜନୈତିକ ବୁଝାମଣା କରି ଗ୍ରେଟ୍ ବ୍ରିଟେନ୍ର ସ୍ଥାପନା କରିଥିଲେ। ଯାହାର ନାଁ ଦିଆଯାଇଥିଲା ୟୁନାଇଟେଡ୍ କିଙ୍ଗଡମ୍ ଅଫ୍ ଗ୍ରେଟ୍ ବ୍ରିଟେନ୍। ହେଲେ ସ୍କଟ୍ଲାଣ୍ଡର ରାଷ୍ଟ୍ରବାଦୀମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଲେ। ବ୍ରିଟେନ୍ରେ ବିଲୟକୁ ବିରୋଧ କରି ଆନ୍ଦୋଳନ ଚାଲିଲା। କିନ୍ତୁ ସ୍କଟଲାଣ୍ଡର ସଂସଦରେ ୟୁନିୟନର ସମର୍ଥକ ଅଧିକ ଥିଲେ। ତେଣୁ ଏହି ଆନ୍ଦୋଳନ ଫିକା ପଡ଼ିଗଲା। ସେବେଠାରୁ ଇଂଲଣ୍ଡ ଠାରୁ ଅଲଗା ହେବାର ବହ୍ନି ସ୍କଟିସ୍ଭାଷୀଙ୍କ ମଧ୍ୟରେ ଏବେ ବି କୁହୁଳୁଛି। ହମ୍ଜା ୟୁସୁଫ ପାଷ୍ଟ ମିନିଷ୍ଟର ହେବା ପରେ ଏହି କୁହୁଳିଥିବା ନିଆଁ ଆହୁରି ପ୍ରଖର ହେବାରେ ଲାଗିଛି।
ଆୟରଲାଣ୍ଡ- ୧୮୦୦ ମସିହାରେ ଆୟରଲାଣ୍ଡ ମଧ୍ୟ ଇଂଲଣ୍ଡ ସହ ମିଶିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ସେଠାକାର ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଆୟରଲାଣ୍ଡର ରାଜା ବିରୋଧରେ ରାଷ୍ଟ୍ରବାଦୀମାନେ ବିଦ୍ରୋହ କରିବା ଆରମ୍ଭ କରିଦେଲେ। ଏହି ବିଦ୍ରୋହ ହିଂସାର ରୂପ ନେଲା। ଆୟରିସ ଲୋକମାନେ ଇଂରେଜଙ୍କ ବିରୋଧରେ ଅନେକ ହିଂସାକାଣ୍ଡ ଘଟାଇଲେ। ଦୀର୍ଘଦିନର ବିଦ୍ରୋହ ପରେ ୧୯୨୨ ମସିହାରେ ଆୟରଲାଣ୍ଡ ବ୍ରିଟେନ୍ ଠାରୁ ଅଲଗା ହୋଇ ୨୬ କାଉଁଟିକୁ ମିଶାଇ ଏକ ସ୍ୱତନ୍ତ୍ର ଦେଶ ଗଠନ ହୋଇଥିଲା। ଯାହାର ନାଁ ରହିଲା ରିପବ୍ଲିକ୍ ଅଫ୍ ଆୟରଲାଣ୍ଡ। ଏହି ଦେଶର ଏକ ଛୋଟ ଭାଗ ନର୍ଥ ଆୟରଲାଣ୍ଡ ଏବେ ବ୍ରିଟେନ୍ର ସହ ମିଶି ରହିଛି। ଯାହା ସ୍କଟଲାଣ୍ଡ ଓ ଇଂଲଣ୍ଡର ସୀମାକୁ ଲାଗିଛି।
ୟୁନାଇଟେଡ୍ ବ୍ରିଟେନ୍ରେ ଏବେ କେଉଁ ଦେଶ ମିଶି ରହିଛି ?
ବର୍ତ୍ତମାନ ୟୁନାଇଟେଡ୍ କିଙ୍ଗଡମ୍ରେ ସ୍କଟ୍ଲାଣ୍ଡ, ଇଂଲଣ୍ଡ, ନର୍ଦ୍ଦନ ଆୟରଲାଣ୍ଡ ଓ ୱେଲ୍ସ, ମିଶି ରହିଛନ୍ତି। ଆଉ ଏବେ ସ୍କଟ୍ଲାଣ୍ଡ ଇଂଲଣ୍ଡ ସହ ୩୦୦ ବର୍ଷର ସମ୍ପର୍କ ଛିନ୍ନ କରି ଅଲଗା ହେବାକୁ ଚାହୁଁଛି। ୧୯୯୭ ମସିହାରେ ଅଲଗା ସଂସଦ ଦାବିକୁ ନେଇ ସ୍କଟ୍ଲାଣ୍ଡରେ ଜନମତ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ସ୍କଟଲାଣ୍ଡ ବିଜୟ ମଧ୍ୟ ହେଲା। ସେଠାରେ ନିଜସ୍ୱ ସରକାର ଗଠନ ହେଲା। ୧୯୯୯ ମସିହାରେ ବ୍ରିଟେନ୍ ସ୍କଟ୍ଲାଣ୍ଡକୁ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଦିଗରେ ନିଜସ୍ୱ ଆଇନ ପ୍ରଣୟନ କରିବାକୁ ଅନୁମତି ଦେଲା। କିନ୍ତୁ ବୈଦେଶିକ ନୀତି, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ବି ବ୍ରିଟେନର ଅଧିକାର ରହିଛି। ଅର୍ଥାତ ସ୍କଟଲାଣ୍ଡର ଏସବୁ ପ୍ରସଙ୍ଗରେ ବ୍ରିଟେନ୍ ସାଂସଦମାନେ ନିଷ୍ପତ୍ତି ନିଅନ୍ତି।
କାହିଁକି ଅଲଗା ହେବାକୁ ଚାହୁଁଛି ସ୍କଟ୍ଲାଣ୍ଡ ?
ରିପୋର୍ଟ ଅନୁସାରେ ସ୍କଟ୍ଲାଣ୍ଡର ଜନସଂଖ୍ୟା ୫୫ ଲକ୍ଷ, ଯାହା ବ୍ରିଟେନ୍ର ମୋଟ ଜନସଂଖ୍ୟାର ୮ ପ୍ରତିଶତ। ସ୍କଟ୍ଲାଣ୍ଡ ଲୋକଙ୍କ କହିବା କଥା ହେଲା ଏତେ ଜନସଂଖ୍ୟା ଥାଇବି ବ୍ରିଟେନ୍ର ନିଷ୍ପତ୍ତି ଦେଶର ହିତରେ ହେଉ ନାହିଁ। ବାଣିଜ୍ୟ ବ୍ୟାପାର ସବୁଥିରେ ବ୍ରିଟେନ୍ ସ୍କଟ୍ଲାଣ୍ଡ ଠାରୁ ଫାଇଦା ଉଠାଉଛି ବୋଲି ସେଠାକାର ଲୋକେ ଅନୁଭବ କରୁଛନ୍ତି। ତେଣୁ ଏବେ ବ୍ରିଟେନ୍ ଠାରୁ ଅଲଗା ହେବାକୁ ଚାହୁଁଛି ଏହି ଦେଶ। ଯାହା ବର୍ତ୍ତମାନ ସ୍କଟଲାଣ୍ଡର ହମ୍ଜା ୟୁସୁଫଙ୍କ ସରକାରର ମୂଳ ଲକ୍ଷ୍ୟ।
Comments are closed.