Latest Odisha News

ବିଭିନ୍ନ ସ୍ଥାନରେ ଆଇଟି ରେଡ୍, ତେଜିଲା ବିଜେପି-ବିଜେଡି ବୟାନବାଜି

ଭୁବନେଶ୍ୱର: ନୟାଗଡ଼ ଭାପୁରର ବିଜେଡି ନେତା ତଥା ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘର ଓ କାର୍ଯାଳୟରୁ ବୁଧବାର ଇନକମ ଟ୍ୟାକ୍ସ ଅଧିକାରୀମାନେ ନଗଦ ୨୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ତାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା ଅଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ଆଇଟି ଟିମ୍ ଗତ ତିନି ଦିନ ଧରି ବେଣୁଧର ପ୍ରଧାନଙ୍କ ଭାପୁରସ୍ଥିତ ବାସଭବନ  ଫତେଗଡ଼ ସ୍ଥିତ ତାଙ୍କ କନଷ୍ଟ୍ରକସନ କମ୍ପାନୀ ଏବଂ ନିମାଣିସ୍ଥିତ ଏକ କ୍ରସର ୟୁନିଟ୍ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତାଙ୍କ ପରିବାର ସଦସ୍ୟ ଏବଂ ନିର୍ମାଣକାରୀ ସଂସ୍ଥାର ପିଆରଓଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସେ କହିଛନ୍ତି, ଆଇଟି କର୍ମଚାରୀମାନେ ଫତେଗଡ଼ସ୍ଥିତ ଆମର ଅଫିସ ଓ କ୍ରସର ୟୁନିଟରେ ଚଢ଼ଉ କରିଛନ୍ତି। ଏପ୍ରିଲ ୧ ଓ ୨ ତାରିଖରେ ବ୍ୟାଙ୍କ ବନ୍ଦ ରହିଥିଲା। ତେଣୁ ମାର୍ଚ୍ଚ ୩୧ରୁ ଏପ୍ରିଲ ୨ ମଧ୍ୟରେ ହୋଇଥିବା ବିକ୍ରିରୁ ଆମ ଅଫିସରେ ନଗଦ ଟଙ୍କା ଥିଲା। କାର୍ଯ୍ୟାଳୟରୁ ଅଧିକାରୀମାନେ ୨୫ ଲକ୍ଷ ଟଙ୍କା ଓ କିଛି ଅଳଙ୍କାର ପାଇଛନ୍ତି ବୋଲି ସଦାଶିବ କନଷ୍ଟ୍ରକସନର ପିଆରଓ ଭରତ କୁମାର ବେହେରା କହିଛନ୍ତି। ତଦନ୍ତରେ ସହଯୋଗ କରାଯାଉଛି ବୋଲି ସେ କହିଛନ୍ତି। ନିର୍ଦ୍ଦୋଷତାକୁ ପ୍ରମାଣ କରିବା ପାଇଁ ଆଇଟି ଅଧିକାରୀଙ୍କୁ ଯେକୌଣସି ଦସ୍ତାବିଜ ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସେପଟେ ରାଜ୍ଯର ଅନ୍ୟାନ୍ୟ କ୍ରସର ୟୁୁନିଟ ଏବଂ ପେଟ୍ରୋଲ ପମ୍ପ ୟୁନିଟରେ ଆଇଟି ଚଢ଼ାଉ ଜାରି ରହିଛି। ଖାସ କରି ଯେଉଁ ସଂସ୍ଥା ଉପରେ ରେଡ୍ ହୋଇଛି ସେହି ସଂସ୍ଥାର ମାଲିକ ରାଜ୍ୟର ଶାସକ ଦଳ ବିଜେଡି ସହ ଯୋଡ଼ି ହୋଇଛନ୍ତି।  ଚଢ଼ାଉ କରିଥିବା ଅଧିକାଂଶ ବ୍ୟକ୍ତିଙ୍କର ବିଜେଡି ଲିଙ୍କ୍ ଥିବା ଅଭିୟୋଗ ହେଉଥିବାରୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାଣିଶୁଣି ଚଢ଼ାଉ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ ଏହି ପ୍ରକାର କାର୍ଯ୍ୟକଳାପ ଆରମ୍ଭ ହୋଇଥାଏ। ପୂର୍ବରୁ ମଧ୍ୟ ଆମେ ଏଭଳି ଚଢ଼ଉ ଦେଖିଛୁ। ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ତେବେ କେନ୍ଦ୍ରୀୟ ଏଜେନ୍ସିର ଏହି ଚଢ଼ାଉକୁ ଭାରତୀୟ ଜନତା ପାର୍ଟି ନିୟମିତ କାମ ବୋଲି କହିଛି। ଆଇଟି ବିଭାଗ ସାରା ଦେଶରେ ବର୍ଷକୁ ୩୬୫ ଦିନ ଚଢ଼ଉ କରିଥାଏ। ଯଦି ସେମାନେ ନିଜର ସମସ୍ତ ସମ୍ପତ୍ତି ଘୋଷଣା କରି ଟିକସ ଦାଖଲ କରୁଛନ୍ତି, ତେବେ ଏଥିରେ ଭୟର କିଛି ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ ସାମଲ କହିଛନ୍ତି, ବିଜେଡିକୁ ଏବେ ନିଜ ଛାଇ ଦେଖିଲେ ଡରିବା ଆରମ୍ଭ କରିଦେଲେଣି।

Comments are closed.