ଭୁବନେଶ୍ୱର: ଶେଷ ହୋଇଛି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା। ଏପ୍ରିଲ ୧୦ରୁ ଆରମ୍ଭ ହେବ ଉତ୍ତର ଖାତା ମୂଲ୍ୟାୟନ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍ ୧୦ରୁ ୨୨ ତାରିଖ ଯାଏ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୂଲ୍ୟାୟନ ଏପ୍ରିଲ୍ ୨୩ରୁ ମେ’ ୭ ତାରିଖ ଯାଏ ଚାଲିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ମୂଲ୍ୟାୟନ କରାଯିବ।
ମାର୍ଚ୍ଚ ୧ରୁ ଏପ୍ରିଲ ୫ ଯାଏ ଏହି ପରୀକ୍ଷା ଚାଲିଥିଲା। ଓଡିଶାର ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ।
ଏହି ପରୀକ୍ଷା ବେଳେ କପି କରି ମୋଟ୍ ୫୭୫ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। କଳାରେ ୨୯୫ ଜଣ, ବାଣିଜ୍ୟରେ ୧୦୪ ଜଣ ଏବଂ ବିଜ୍ଞାନରେ ୧୭୬ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେହିପରି ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୫୫୯୭ ଜଣ ଅନୁପସ୍ଥିତ ଥିଲେ। କଳାରୁ ୩୪୮୯ ଜଣ, ବାଣିଜ୍ୟରୁ ୯୮୩ ଏବଂ ବିଜ୍ଞାନରୁ ୧୧୨୫ ଜଣ ପରୀକ୍ଷା ନଦେଇ ଅନୁପସ୍ଥିତ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ଯୁକ୍ତ ଦୁଇର ତିନୋଟି ଷ୍ଟିମ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ ଲକ୍ଷ ୫୬ ହଜାର ୪୪୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୩୮ ହଜାର ୭୪୭ଜଣ ରେଗୁଲାର ଏବଂ ୧ ଲକ୍ଷ ୭୭ ହଜାର ୨୦୪ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଥିଲେ। ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ ଥିବା ବେଳେ ବାଣିଜ୍ୟରେ ୨୩ ହଜାର ୧୪୮, ବିଜ୍ଞାନରେ ୯୧ ହଜାର ୩୭୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୧୧୦ଜଣ ଥିଲେ ।
Comments are closed.