Latest Odisha News

BREAKING NEWS

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ । ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି । ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆପ୍ରେମୀଙ୍କ ଆଖି ଖୋଲି ଦେଇଥିଲା । ସରକାରଙ୍କ ଦ୍ୱାରା ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ରୂପରେ ଘୋଷଣା କରାଯିବା ପୂର୍ବରୁ, ୨୦୧୩ରେ ତାଙ୍କର ଏକ ଗବେଷଣା ପୁସ୍ତକ ‘‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’’ ପ୍ରକାଶ ପାଇଥିଲା। ଏଥିରେ ସେ ଏକ ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆ ଭାଷାର ବିକାଶ ଓ ଅଭିବୃଦ୍ଧି ସମେତ ଐତିହାସିକ ଅଧ୍ୟୟନଗୁଡ଼ିକର ଅବତାରଣା କରିଥିଲେ।

ଡକ୍ଟର ମିଶ୍ର ୧୯୫୦ ମସିହା ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକ ଭାଷା ଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଭଳି ମହତ ଉଦ୍ଦେଶ୍ୟ ନେଇ ସଂଖ୍ୟାଧିକ ସ୍ତମ୍ଭ ଲେଖିଥିଲେ, ଏଥିରେ ପ୍ରଭାବିତ ହୋଇ ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ ।

ଡକ୍ଟର ମିଶ୍ରଙ୍କୁ ଲଗାତାର ରାଜ୍ୟ ସରକାରଙ୍କ ଦ୍ୱାରା ‘‘ଓଡ଼ିଶା ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ କରାଯାଇଛି ଏବଂ ନିକଟରେ ସେ ‘‘କେନ୍ଦ୍ର ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି । ସେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘‘ଓଡ଼ିଆ ଭାଷାର ଇତିବୃତ୍ତ’’ର ସହ ଲେଖକ ଏବଂ ଓଡ଼ିଶାର ୩୦ ଜିଲ୍ଲା ଉପରେ ପ୍ରକାଶିତ ଅଧ୍ୟାୟ ‘‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ’’ର ସହ ସମ୍ପାଦକ ଅଛନ୍ତି ଏବଂ ଏହି ଅଧ୍ୟାୟରେ ବିଭିନ୍ନ ଗବେଷଣା ସ୍ତମ୍ଭ ଲେଖିଛନ୍ତି ।

ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସତ୍ୟବାଦୀ ମିଶ୍ରଙ୍କ ପୁତ୍ର ଡକ୍ଟର ମିଶ୍ରଙ୍କ ପିଲାଟି ଦିନରୁ ସାହିତ୍ୟ ପ୍ରତି ରୁଚି ରହିଥିଲା। ଛାତ୍ରାବସ୍ଥାରୁ ସେ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇଥିଲେ। ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜଣେ ମହାନ ଗବେଷକ, ବକ୍ତା, ସ୍ତମ୍ଭକାର, ଆଧ୍ୟାତ୍ମିକ ପ୍ରବକ୍ତା ଏବଂ ପେସାଦାର ସମୀକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ଶାସ୍ତ୍ରୀୟ ଗୁଣାବଳୀର ବିଭିନ୍ନ ଦିଗକୁ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ପ୍ରଶଂସନୀୟ। ତାଙ୍କର ଦିବ୍ୟ ପ୍ରବଚନ ମୌଳିକ ଆଧ୍ୟାତ୍ମିକ ଏବଂ ଦାର୍ଶନିକ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏବଂ ତାହା ଦିବ୍ୟ ଅନୁଭୂତି ପ୍ରଦାନ କରିଥାଏ । ନିଜର ରଚନା, ସମାଲୋଚନା, ଗବେଷଣାତ୍ମକ ନିବନ୍ଧ ଏବଂ ପ୍ରବଚନ ମାଧ୍ୟମରେ ସେ ଆନ୍ତରିକ ସତ୍ୟ, ଲୁଚି ରହିଥିବା ସାରାଂଶ ଓ ଅନ୍ତର୍ନିହିତ ରହସ୍ୟକୁ ଉଜାଗର କରିଛନ୍ତି । ସେ ଶ୍ରୀ ଜଗନ୍ନାଥ ସଂସ୍କୃତି, ରାମାୟଣ, ଶ୍ରୀମଦ ଭଗବତ ଗୀତା, ଶ୍ରୀମଦ ଭାଗବତ ଏବଂ ବେଦ ବେଦାନ୍ତର ଜଣେ ଲୋକପ୍ରିୟ ପ୍ରଚାରକ ।

‘‘ଶାସ୍ତ୍ରୀୟ ଓଡ଼ିଆ’’ ଭାଷା ଉପରେ ତାଙ୍କର ସ୍ତମ୍ଭ, ଗବେଷଣା ଓ ପୁସ୍ତକ ରଚନା ପାଇଁ ଡକ୍ଟର ମିଶ୍ରଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି.ଲିଟ୍‌ ଉପାଧିରେ ଭୂଷିତ କରାଯାଇଛି । ଶାସ୍ତ୍ରୀୟ ଓଡ଼ିଆ ଭାଷା ପ୍ରତି ଯୋଗଦାନ ପାଇଁ ତାଙ୍କୁ ୨୦୧୯ ବର୍ଷ ପାଇଁ ‘‘ରାଷ୍ଟ୍ରପତିଙ୍କ ମାନପତ୍ର’’ରେ ସମ୍ମାନିତ କରାଯାଇଥିଲା।

Comments are closed.