Latest Odisha News

କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଡକ୍ଟର କ୍ରିଷ୍ଣା ପଟେଲ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା। ସେ ୧୯୭୮ ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘‘ରଙ୍ଗବତୀ ରଙ୍ଗବତୀ’’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ ।

ଡକ୍ଟର ପଟେଲ ୨୯ ନଭେମ୍ବର ୧୯୫୮ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ଥିଲେ ଜଣେ ଗାୟିକା। ସେ ପିଲାଟି ଦିନରୁ ମା’ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଠାରୁ ‘ଚୌପଦୀ’ ଓ ‘ଜଣାଣ’ ଗାଇବା ଶିଖିଥିଲେ। ପରବର୍ତ୍ତୀ ସମୟରେ ସେ ଔପଚାରିକ ଭାବେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ବିଶିଷ୍ଟ ଲୋକ ଗାୟକ ସ୍ୱର୍ଗତ ଗୁରୁ ଫକୀର ମୋହନ ପଟ୍ଟନାୟକ, ଗୁରୁ ଅରୁଣ ପ୍ରସନ୍ନ ସେଠ, ଗୁରୁ ପ୍ରଦୀପ ପାତ୍ର, ଗୁରୁ ପ୍ରଭୁଦତ୍ତ ପ୍ରଧାନ ଏବଂ ଗୁରୁ ପ୍ରଫୁଲ ମିତ୍ରଙ୍କ ଠାରୁ ସେ ସଙ୍ଗୀତ ଶିଖିଥିଲେ। ୧୯୭୦ ମସିହାରେ ତାଙ୍କୁ ସମ୍ବଲପୁର ସ୍ଥିତ ଆକାଶବାଣୀରେ ଜଣେ ‘ବି’ ଗ୍ରେଡ କଳାକାର ଭାବେ ମାନ୍ୟତା ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ‘ଏ’ ଗ୍ରେଡ୍‌ କଳାକାର ଭାବେ ପଦୋନ୍ନତି ପାଇଥିଲେ । ତାଙ୍କର ପ୍ରଥମ ସଙ୍ଗୀତ ‘ଯା ଯା କଳା ଭମର….’’ ସମ୍ବଲପୁରୀ ଭାଷାରେ ରେକର୍ଡ ହୋଇ ପ୍ରସାରିତ ହୋଇଥଲା । ବିନୋଦ ପଶାୟତ ଏହି ଗୀତ ରଚନା କରିଥିଲେ । ଏହାପରେ ରାମପ୍ରସାଦ ପୁରୋହିତଙ୍କ ରଚିତ ‘‘ମନ ବଗିଚା ଥି ଫୁଟିଛେ ମଲି…’’, ଜିତେନ୍ଦ୍ର ହରିପାଲଙ୍କ ସହିତ ମିଶି ଗାଇଥିବା ଲୋକପ୍ରିୟ ଯୁଗଳ ସଙ୍ଗୀତ ‘ଆୟେ ମାଲତୀ ସୁନା ଗୁରୀ ରେ…’’, ‘‘ଆହା ରେ ଲରି ମଟର…’’ ଭଳି ଅନେକ ଗୀତ ତାଙ୍କୁ ପଶ୍ଚିମ ଓଡ଼ିଶାର କୋକିଳକଣ୍ଠୀ ଭାବେ ପରିଚିତ କରିଥିଲା ।

ଘରେ ଘରେ ପରିଚିତ ସମ୍ବଲପୁରୀ ଯୁଗଳ ସଙ୍ଗୀତ ‘‘ରଙ୍ଗ ବତୀ ରଙ୍ଗ ବତୀ….’’ ଡକ୍ଟର ପଟେଲଙ୍କୁ ବିଶେଷ ପ୍ରସିଦ୍ଧି ଆଣି ଦେଇଥିଲା। ୧୯୭୬-୭୭ ମସିହାରେ ଏହି ଗୀତ ପ୍ରଥମେ ସମ୍ବଲପୁର ଆକାଶବାଣୀ ଦ୍ୱାରା ରେକର୍ଡ କରାଯାଇଥିଲା। ଏଥିରେ କଣ୍ଠଦାନ କରିଥିବା କ୍ରୀଷ୍ଣା ପଟେଲ ଏବଂ ତାଙ୍କର ସହଗାୟକ ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ର ହରିପାଲ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ୧୯୭୯-୮୦ ମସିହାରେ ରଙ୍ଗବତୀ ଗୀତକୁ କୋଲକାତାର ଇଣ୍ଡିଆନ ରେକର୍ଡ କମ୍ପାନୀ (ଆଇଏନଇଆରସିଓ) ପାଇଁ ହିନ୍ଦୁସ୍ତାନ ରେକର୍ଡସ୍‌ ପକ୍ଷରୁ ପୁନର୍ବାର ରେକର୍ଡ କରାଯାଇଥିଲା। ରଙ୍ଗବତୀ ଗୀତ ବିବିସି ଲଣ୍ଡନ ଏବଂ ରୁଷ ସମେତ ବିଶ୍ୱର ବିଭିନ୍ନ ରେଡିଓ ଷ୍ଟେସନରେ ରେକର୍ଡ ହୋଇଥିବା କୁହାଯାଏ। ଜାତୀୟ ସାଧାରଣତନ୍ତ୍ର  ଦିବସ ପରେଡରେ ଏହି ଗୀତ ବାଜିବା ଫଳରେ ଓଡ଼ିଶାକୁ ସମ୍ମାନ ଓ ପ୍ରତିଷ୍ଠା ମିଳିଥିଲା । ଏହି ଗୀତକୁ ସମ୍ମାନ ଜଣାଇବା ଲାଗି ଓଡ଼ିଶା ସରକାର ‘ରଙ୍ଗବତୀ ଉତ୍ସବ’ ନାମକ ଏକ ମହୋତ୍ସବ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କ ପୈତୃକ ଗ୍ରାମକୁ ‘‘ରଙ୍ଗବତୀ ବିଲୁଙ୍ଗ’’ ନାମ ଦିଆଯାଇଛି ।

୧୯୮୭ ମସିହାରେ ଅନୁଷ୍ଠିତ ମସ୍କୋ ଫେଷ୍ଟିଭାଲ, ୧୯୮୮ ଓ ୧୯୯୯ରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଅନୁଷ୍ଠିତ ଦ୍ୱୀପ ମହୋତ୍ସବ, ୨୦୦୦ ମସିହାରେ ଅନୁଷ୍ଠିତ ଫେଟ-ଡି-ପଣ୍ଡିଚେରୀ କାର୍ଯ୍ୟକ୍ରମରେ ଡକ୍ଟର ପଟେଲ ଭାରତର ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ବାଲି ଯାତ୍ରା ମହୋତ୍ସବରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ଓଡ଼ିଶାରେ ଲୋକକଳାକୁ ବଜାୟ ରଖିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଲାଗି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ୨୦୦୨ ମସିହାରେ ସମ୍ମାନିତ କରିଥିଲା। ସୃଜନଶୀଳ ଲୋକକଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୦ ଏପ୍ରିଲ ୨୦୧୫ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନ ଜନକ ଡି. ଲିଟ୍‌ ଉପାଧିରେ ଭୂଷିତ କରାଯାଇଥିଲା।

Comments are closed.