Latest Odisha News

BREAKING NEWS

ସମାନ କାମକୁ ସମାନ ଦରମା ଦାବି: ମୁହଁରେ କଳା ଟେପ୍ ଲଗାଇ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର: ନିଖିଳ ଓଡ଼ିଶା ୬୬୨ (+୨, +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ସଦସ୍ୟମାନେ ନିଜର ୪ ଦଫା ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନରୁ ରାଲି ଆରମ୍ଭ କରି ମୁହଁରେ କଳା ଟେପ୍ ବାନ୍ଧି ଲୋୟର ପିଏମଜି ଅଭିମୁଖେ ଯାଇଥିଲେ। ବିଭିନ୍ନ ଦାବି ନେଇ ସେମାନେ ଓଡ଼ିଶା ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ଫେବୃଆରୀ ୧୩ ତାରିଖରୁ ସଙ୍ଘ ପକ୍ଷରୁ ଦିବାରାତ୍ର ଆନ୍ଦୋଳନ କରାଯାଇଥିଲା। ଦୀର୍ଘ ୧୫ ଦିନ ଧରି ଆନ୍ଦୋଳନ ଜାରି ରହିବା ପରେ ସରକାର ଆଲୋଚନା ପାଇଁ ଡାକିବା ସହ ଆସନ୍ତା ମାର୍ଚ୍ଚ ୧୦-୧୨ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କୌଣସି ଦାବି ପୂରଣ ନହେବାରୁ ସଙ୍ଘ ଆନ୍ଦୋଳନକୁ ଜୋରଦାର କରିଛି। କହିରଖୁଛୁ, ଯୁକ୍ତ ୨ ପରୀକ୍ଷା ଥିଲା ବୋଲି ସେତେବେଳେ ବିଭାଗୀୟ ମନ୍ତ୍ରୀ କହିଥିଲେ ପିଲାଙ୍କ ପରୀକ୍ଷାରେ କୌଣସି ଅସୁବିଧା ନହେବା ଦରକାର। ସରକାର ଅଧ୍ୟାପକଙ୍କ ଦାବି ପ୍ରତି ସଚେତନ ଅଛନ୍ତି ବୋଲି କହିଥିଲେ।

ସଙ୍ଘର ପ୍ରମୁଖ ଦାବି ହେଉଛି ସମାନ କାମ ପାଇଁ ସମାନ ଦରମା। ଦୀର୍ଘ ୫୩ ଦିନ ଧରି ଆନ୍ଦୋଳନ କରିବା ସମୟରେ ଅନେକ କଷ୍ଟ ସହିଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ତେଣୁ ସରକାରଙ୍କୁ ତାଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇବା ପାଇଁ ଆମେ ଏହି ବିଶାଳ ରାଲି ଆୟୋଜନ କରିଛୁ। ସମାନ କାମ ପାଇଁ ସମାନ ଦରମା ଦାବି କରୁଛୁ। ଆସନ୍ତା ତିନି ଦିନ ଧରି ଆମର ଆନ୍ଦୋଳନ ଜାରି ରହିବ। ଯଦି ସରକାର ପୁଣି ଥରେ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୁଅନ୍ତି ତେବେ ଉତ୍ତର ଖାତା ମୂଲ୍ୟାୟନକୁ ବର୍ଜନ କରାଯିବ ବୋଲି ଜଣେ ଆନ୍ଦୋଳନରତ ଅଧ୍ୟାପକ କହିଛନ୍ତି।

ଆମେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବାକୁ ଚାହୁଁନାହୁଁ; କିନ୍ତୁ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇ ଆମ ସହ ବିଶ୍ୱାସଘାତକତା କରିଛନ୍ତି। ଯଦି ଆମେ ମୂଲ୍ୟାୟନ ପ୍ରକ୍ରିୟାକୁ ବର୍ଜନ କରିବୁ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଅନ୍ୟ ଜଣେ ଅଧ୍ୟାପକ କହିଛନ୍ତି।

Comments are closed.