କଟକ: ଆଠଗଡ଼ର କୋଳଥପାଙ୍ଗି ଗାଁରେ ମଙ୍ଗଳବାର ଅପରାହ୍ନରେ ଏକ ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମୟରେ ପୋଲିସ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜମି ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାର ପୁଲିସ ଓ ଉପଖଣ୍ଡ ପୁଲିସ ଅଧିକାରୀ (SDPO)ଙ୍କ ସହ ଗାଁକୁ ଯାଇଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଦଳିତ ସାହିର ମହିଳାମାନେ ବିରୋଧ କରିବାରୁ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା ଏବଂ ପୁଲିସକୁ ସାମ୍ନା କରିବାକୁ ପଡ଼ିଥିଲା।
ଗୁରୁଡିଝାଟିଆ ଥାନା ଭାରପ୍ରାପ୍ତ ଅଧିକାରୀ (IIC) ରଞ୍ଜନ କୁମାର ପ୍ରଧାନ ଓ ଆଠଗଡ଼ ଥାନା ସହକାରୀ ସବ୍ଇନ୍ସପେକ୍ଟର ସକୁନ୍ତଳା ପ୍ରଧାନଙ୍କ ଆଙ୍ଗୁଠିକୁ କିଛି ଉତ୍ତ୍ୟକ୍ତ ମହିଳା କାମୁଡିଦେବାରୁ ସେମାନେ ଗୁରୁତର ଆହତ ହୋଇଥିଲେ।
ଜଣେ ବ୍ୟକ୍ତିଙ୍କ ୪୧ ଏକର ଜମି ଓ ଅଲଟ୍ରା ଟେକ୍ କମ୍ପାନୀର ଜମିକୁ ଚିହ୍ନଟ କରିବାକୁ ଯାଇଥିଲୁ। ସ୍ଥାନୀୟ ବାସିନ୍ଦା ଏହି ଜମିକୁ ନିଜର ବୋଲି ଦାବି କରୁଛନ୍ତି। ତେବେ ସେମାନେ ସେମାନଙ୍କ ଦାବିକୁ ସମର୍ଥନ କରୁଥିବା କୌଣସି ଦସ୍ତାବିଜ ଦେଇପାରିନଥିବା ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି।
ବିକ୍ଷୋଭ ବେଳେ କିଛି ସ୍ଥାନୀୟ ଲୋକ ଗୁରୁଡିଝାଟିଆ ଥାନା ଆଆଇସିଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।
ଆଗକୁ ଆଉ କିଛି ଅଘଟଣ ଘଟିବା ଆଶଙ୍କାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Comments are closed.