Latest Odisha News

ବାରିପଦାରେ ମୋଦୀ ସରକାର ତିଆରି କରିବେ ଆଦିବାସୀ ବିଶ୍ବବିଦ୍ୟାଳୟ!

ବାରିପଦା: ବାରିପଦାରେ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ଯାହା ସମ୍ପୂର୍ଣ୍ଣ ହେଲେ ଇତିହାସ ରଚିବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ପଦକ୍ଷେପ ନିଆଯାଉଛି। ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ଯକ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ସୂଚନା ମିଳିଛି।

ମଧ୍ୟପ୍ରଦେଶର ପ୍ରତିଷ୍ଠିତ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଏକ ଟିମ୍ ନିକଟରେ ବାରିପଦା ଗସ୍ତରେ ଆସି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଭେ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୫୦ ଏକର ଜମି ଚିହ୍ନଟ କରିଛନ୍ତି।

ଉପଯୁକ୍ତ ଜମି ଚୂଡ଼ାନ୍ତ ହେବା ପରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲୋଡିବ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ।

ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ସମ୍ମାନଜନକ ପଦବୀରେ ବସିଛନ୍ତି। ଏପରି ସ୍ଥିତିରେ ତାଙ୍କ ଜନ୍ମମାଟିରେ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ସାରା ରାଜ୍ୟ ପାଇଁ ଗୌରବର ବିଷୟ। ଏହାବାଦ ସାରା ବିଶ୍ୱରେ ମୟୂରଭଞ୍ଜର ପ୍ରାକୃତିକ ଦୃଶ୍ୟ, ଜଙ୍ଗଲ ଆଦିକୁ ନେଇ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ କେନ୍ଦ୍ରର ମୋଦୀ ସରକାରରେ ଖୋଦ୍ ଆଦିବାସୀ ମନ୍ତ୍ରାଳୟର ମନ୍ତ୍ରୀ ଅଛନ୍ତି ମୟୂରଭଞ୍ଜର ବିଶ୍ବେଶର ଟୁଡୁ। ଯିଏକି ନିଜେ ଜଣେ ଆଦିବାସୀ ନେତା।

Comments are closed.