Latest Odisha News

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ନୀତିଶ କୁମାରଙ୍କ ଭେଟଘାଟ ହେବାର କିଛି ଘଣ୍ଟା ପରେ ଏହି ବୈଠକ କେଜ୍ରିଓ୍ୱାଲଙ୍କ ଘରେ ବୈଠକ ବସିଥିଲା।

ବୈଠକ ପରେ କେଜ୍ରିଓ୍ୱାଲ, ଯିଏକି ଆପ୍ ସଂଯୋଜକ ବିବୃତ୍ତିରେ କହିଛନ୍ତି ଯେ ସ୍ୱାଧୀନତା ପରେ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ରହିଛି। ସମସ୍ତ ବିରୋଧୀ ଦଳ ଏକଜୁଟ ହେବା ଆବଶ୍ୟକ। କ୍ଷମତାରେ ଥିବା ସରକାରକୁ ବଦଳାଇବା ଜରୁରୀ। ଅପରପକ୍ଷରେ ଅଧିକରୁ ଅଧିକ ଦଳକୁ ଏକାଠି କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ନୀତିଶ କୁମାର ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ରାହୁଲଙ୍କ ସହ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଖଡଗେ କହିଥିଲେ ଯେ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ଏବଂ ଦେଶକୁ ଏକ ନୂଆ ଦିଗ ପ୍ରଦାନ କରିବା ପାଇଁ ବିରୋଧୀମାନେ ମିଳିତ ଭାବେ କାମ କରିବେ।

ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ଅଧିକରୁ ଅଧିକ ଦଳକୁ ଏକାଠି କରିବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବୁ। ଆମେ ସବୁ ପ୍ରକାର ଉଦ୍ୟମ କରିବୁ, ଏକାଠି ବସି କାମ କରିବୁ, ଏକଜୁଟ ହୋଇ କାମ କରିବୁ ଆଲୋଚନା ପରେ ସେମାନେ ସେହି ଆଧାରରେ ଆଗକୁ ବଢ଼ିବେ ଏବଂ ଯେଉଁମାନେ ରାଜି ହେବେ ସେମାନେ ସମସ୍ତେ ଏକାଠି ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସେ କହିଛନ୍ତି।

ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏକତା ପ୍ରତିଷ୍ଠା ପାଇଁ ପ୍ରୟାସ କରୁଛନ୍ତି। ବିହାରରେ ଜନତା ଦଳ (ୟୁନାଇଟେଡ୍), ରାଷ୍ଟ୍ରୀୟ ଜନତା ଦଳ, ଏବଂ କଂଗ୍ରେସ ଏକାଠି ହୋଇ ମହାମେଣ୍ଟ ସରକାର ଗଠନ କରିଛନ୍ତି। ଏହି ତିନି ଦଳ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଉପରେ ଜୋର ଦେଉଛନ୍ତି।

ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତ ବେଳେ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ମଧ୍ୟ ବୈଠକ ହେବ ବୋଲି କୁହାଯାଉଛି, କାରଣ ବିରୋଧୀମାନେ ମିଳିତ ମୋର୍ଚ୍ଚା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Comments are closed.