ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ସାଂଘାଇ କୋପରେସନ ଅର୍ଗାନାଇଜେସନ୍ ବୈଠକ(ଏସ୍ସିଓ) ଆରମ୍ଭ ହୋଇଯାଇଛି। ଏଥର ଭାରତ ଏସ୍ସିଓ ବୈଠକର ନେତୃତ୍ୱ ନେଉଛି। ବୈଠକରେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଚୀନ, କଜାଖସ୍ତାନ, କିର୍ଗିଜ୍ସ୍ତାନ, ଋଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ସେପଟେ ପାକିସ୍ତାନ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେବ ବୋଲି ସୂଚନା ମିଳିଛି। ଏହି ବୈଠକରେ ବେଲାରୁସ ଓ ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ଭାରତ।
ତେବେ ତା ପୂର୍ବରୁ ଗତକାଲି ଚୀନ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଲି ସଙ୍ଗଫୁଙ୍କ ସହ ସୀମା ବିବାଦ ନେଇ ଆଲୋଚନା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ୨୦୨୦ ଗଲୱାନ ଘାଟି ଆକ୍ରମଣ ଘଟଣା ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କର ବୈଠକ ହୋଇଥିଲା। ଏଥିରେ ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲା ଭାରତ। ସମ୍ପର୍କ ଭଲ ଚାହୁଁଥିଲେ ଚୀନ ପ୍ରଥମେ ସୀମାରେ ସୈନିକ ମୁତୟନ ବନ୍ଦ କରୁ ବୋଲି ରୋକ୍ ଠୋକ୍ କହିଥିଲେ ରାଜନାଥ।
ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଘଣ୍ଟାଏ କାଳ ଆଲୋଚନା ହୋଇଥିଲେ ବି ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଚୀନ ସାମରିକ ସହଯୋଗ କଥା କହୁଥିଲେ ବି ଯେ ପର୍ଯ୍ୟନ୍ତ ସୀମାରେ ଅଶାନ୍ତ ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଅନ୍ୟ କୌଣସି କଥା ଆଲୋଚନା କରି ହେବ ନାହିଁ ବୋଲି ରାଜନାଥ କହିଥିଲେ। ଦୁଇ ଦେଶ ମଧ୍ୟରେ ତିକ୍ତତା ଏତେ ଥିଲା ଯେ ଦୁଇ ମନ୍ତ୍ରୀ ପରସ୍ପର ହାତ ବି ମିଳାଇ ନଥିଲେ। ଯେହେତୁ ଭାରତ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି, ସେଥିପାଇଁ ରାଜନାଥ କେବଳ ନମସ୍କାର କରି ତାଙ୍କୁ ସ୍ୱାଗତ କରିଥିଲେ।
ଆଲୋଚନା ବେଳେ ରାଜନାଥ କହିଥିଲେ ଯେ ସୀମାରେ ସୈନିକ ମୁତୟନ ସମ୍ପର୍କ ପାଇଁ ଆଦୌ ଠିକ୍ ନୁହେଁ। ବାରମ୍ବାର ଘଟୁଥିବା ଘଟଣା ଦୁଇ ଦେଶର ସମ୍ପର୍କକୁ ଆହୁର ତିକ୍ତ କରୁଛି। ଚୀନ ଆଡ଼ୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ ହେଉଛି। ତେଣୁ ଦ୍ୱିପାଖିକ ରାଜିନାମା ଓ ପ୍ରତିଶ୍ରୁତି ଅନୁସାରେ ସମାଧାନ ହେବା ଦରକାର ବୋଲି ରାଜନାଥ କହିଥିଲେ।
ଚୀନ ପ୍ରତିରକ୍ଷାମନ୍ତ୍ରୀଙ୍କ ପୂର୍ବରୁ ରାଜନାଥ କଜାଖିସ୍ତାନ, ଇରାନ ଓ ତାଜିକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଖୁବ୍ ବନ୍ଧୁତ୍ୱପୂର୍ଣ୍ଣ ଢଙ୍ଗରେ ଆଲୋଚନା କରିଥିଲେ। ହାତ ମିଳାଇ ଖୁସୀରେ ସ୍ୱାଗତ କରିଥିଲେ।
Comments are closed.