Latest Odisha News

ଆସନ୍ତାକାଲି ନିଜ ଗାଁକୁ ଆସୁଛନ୍ତି ରାଷ୍ଟ୍ରପତି: ଲୋକଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବାରିପଦା: ଆସନ୍ତାକାଲି ରାଷ୍ଟ୍ରପତି ଭାବେ ନିଜ ଗାଁକୁ ଆସୁଛନ୍ତି ମହାମହିମ ଦୌପଦ୍ରୀ ମୁର୍ମୁ। ୪ ତାରିଖ (ଗୁରୁବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତ ପୂର୍ବରୁମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପାହାଡପୁର ଗାଁରେ ମାଟି ରାସ୍ତା ପିଚୁ ରାସ୍ତାରେ ପରିଣତ ହୋଇଥିବା ବେଳେ ଗାଁରେ ଥିବା କାନ୍ଥବାଡରେ ଝୋଟି, ଚିତା ଆଜି ଆଦିବାସୀ ପରମ୍ପରା ଅନୁସାରେ ସଜେଇ ହୋଇଛି।

ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ କହିଛନ୍ତି, ରାଷ୍ଟ୍ରପତି ମେ’ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆସନ୍ତା ୬ ତାରିଖ ଯାଏ ସେ ଏଠାରେ ରହିବେ। ଜିଲ୍ଲାରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପାହାଡପୁର ଗ୍ରାମବାସୀ କହିଛନ୍ତି, ମାଡାମ ଆସିବେ ବୋଲି ଆମେ ବହୁତ ଖୁସି। ସେ କେତେବେଳେ ଆସିବେ ଆମେ ସମସ୍ତ ଗ୍ରାମବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛୁ। ଗାଁ ଦାଣ୍ଡଠୁ ଆରମ୍ଭ କରି ସ୍କୁଲ ଘର, କ୍ଲବ ଘର, ପରିମଳ ବ୍ୟବସ୍ଥାକୁ ପ୍ରଶାସନ ସହ ମିଶି ସଜାଡି ଦେଇଛୁ। ସେ ଆମ ଗାଁର ଝିଅ, ଏହି ମାଟିର ଝିଅ। ସେ ଆସୁଛନ୍ତି ତେଣୁ ଆମ ସମସ୍ତଙ୍କ ମନରେ ବହୁତ ଖୁସି। ଆମେ ତାଙ୍କ ପାଇଁ ଗର୍ବିତ। ରାଷ୍ଟ୍ରପତି ଭାବେ ଆସୁଛନ୍ତି ତେଣୁ ତାଙ୍କୁ ଦେଖା କରିବାକୁ ବହୁତ ଉତ୍କଣ୍ଠା ରହିଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଶ୍ଚିମବଙ୍ଗରେ ତାଙ୍କ ବିିମାନ ପହଞ୍ଚିବ। ଏହାପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ବାଦାମପାହାଡ଼ ହେଲିପ୍ୟାଡରେ ପହଞ୍ଚିବେ। ପରେ ସେଠାରୁ ପାହାଡପୁର ଯିବେ। ଏହାପରେ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ମେ’ ୫ ତାରିଖରେ ମୁର୍ମୁ ପ୍ରଥମେ ଶିମିଳିପାଳ ଜାତୀୟ ଉଦ୍ୟାନ ଓ ପରେ ବାରିପଦା ଗସ୍ତ କରିବାର ସମ୍ଭାବନା ରହିଛି।

ବାରିପଦାରେ ସେ ମେ’ ୬ ତାରିଖରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ଗସ୍ତ ଶେଷ କରିବେ।

ମହାମହିମ ମୁର୍ମୁ ୨୦୨୨ ଜୁଲାଇ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ପୂର୍ବରୁ ଦୁଇ ଦୁଇ ଥର ରାଜ୍ୟ ଗସ୍ତରେ ଆସିଥିବା ବେଳେ ଏଥର ତାଙ୍କ ଗସ୍ତ କେବଳ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ସୀମିତ ରହିବ।

Comments are closed.