Latest Odisha News

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ମହାମହିମ, ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ

ଭୁବନେଶ୍ୱର : ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର ପ୍ଲାନ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି ।

ଆଜି ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ରହିବେ । ଶିମିଳିପାଳ ଯିବା ପୂର୍ବରୁ ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯିବେ ମହାମହିମ । ଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମ ଶତବାର୍ଷିକୀରେ ଯୋଗଦେବେ । ପରେ ଶିମିଳିପାଳ ଅଭିମୁଖେ ବାହାରିବେ ।

ଗତକାଲି ରାଷ୍ଟ୍ରପତି ନିଜ ଘରେ ରାତ୍ରି ରହଣି କରିଥିବା ବେଳେ ଆତ୍ମୀୟସ୍ୱଜନଙ୍କ ସହିତ ଆଲୋଚନା କରିଥିଲେ । ରାଇରଙ୍ଗପୁରର ମହୁଲଡିହାସ୍ଥିତ ନିଜ ବାସଭବନ ଠାରେ ପହଞ୍ଚିଥିଲେ । ସେଠାରେ ରାତ୍ରିଭୋଜନ କରିଥିଲେ । ଆସନ୍ତାକାଲି ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ମଧ୍ୟାହ୍ନ ୧୨ଟା ୨୫ରେ ବାରିପଦା ହେଲିପ୍ୟାଡରୁ କଲାଇକୁଣ୍ଡା ବିମାନବନ୍ଦର ଯାଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.