Latest Odisha News

ରାଷ୍ଟ୍ରପତିଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା, ରିପୋର୍ଟ ମାଗିଲେ ରାଜ୍ଯପାଳ

ଭୁବନେଶ୍ୱର: ନିକଟରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବକ୍ତବ୍ୟ ସମୟରେ ନଅ ମିନିଟ୍ ଆଲୁଅ ଚାଲିଯିବା ଘଟଣା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣା ପରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଶାସନ ସଚିବ ପି. କେ. ଜେନା ଓ କୁଳପତି ସନ୍ତୋଷ ତ୍ରିପାଠୀଙ୍କୁ ମେ’ ୬ ତାରିଖରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ବ୍ଲାକ୍ ଆଉଟ୍ ଘଟଣା ନେଇ ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି। ବିଶ୍ବବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳ ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ତାଙ୍କ ଭାଷଣ ଆରମ୍ଭ କରିବା ମାତ୍ରେ ଏହି ଘଟଣା ଘଟିଥିଲା, ଯାହା ଫଳରେ ଅଡିଟୋରିୟମ ୯ ମିନିଟ୍ ଯାଏ ଅନ୍ଧାରରେ ରହିଥିଲା। ବ୍ଲାକ୍ ଆଉଟ୍ ସତ୍ତ୍ୱେ ମୁର୍ମୁ ନିଜ ବକ୍ତବ୍ୟ ଜାରି ରଖିଥିବା ବେଳେ ସଭାସ୍ଥଳରେ ଲାଗିଥିବା ମାଇକ୍, ଏସି, ଫ୍ୟାନ୍ ସବୁ ସମ୍ପୂର୍ଣ୍ଣ ସମୟରେ ସ୍ୱାଭାବିକ ଭାବେ ଚାଲିଥିଲା।

ବ୍ଲାକ୍ ଆଉଟ୍ କାରଣକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏହା ଅନ୍ତର୍ଘାତୀ କାଣ୍ଡ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆରଡିସି ମଧ୍ୟ ତଦନ୍ତ କରୁଥିବା ସୂଚନା ରହିଛି।

ଅନ୍ୟପଟେ ଖରାଦିନେ ବା ଗ୍ରୀଷ୍ମ ପ୍ରବାହ ବେଳେ ରାଜ୍ଯରେ ବିଜୁଳ କାଟ ହେବ ନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବିଜୁଳି ପଳାଇ ଯାଉଛି ତାହେଲେ ସାଧାରଣ ଲୋକ କି ସମସ୍ୟାରେ ରହୁଥିବା ତାହା ଏବେ ଚିନ୍ତାର ବିଷୟ ପଲଟିଛି।

Comments are closed.