Latest Odisha News

ମେ ୧୫’ରେ ହାଓ୍ୱଡାରୁ ପୁରୀ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!

ଭୁବନେଶ୍ବର: ନିକଟରେ ପରୀକ୍ଷାମୂଳକ ବା ଟ୍ରାଏଲ ରନ୍ ପରେ ହାଓ୍ୱଡାରୁ ପୁରୀ କେବେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ ଯେଉଁ ଉତ୍ସୁକତା ଥିଲା ତାହା ଏବେ ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଉପସ୍ଥିତ ରହି ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ। ପୁରୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସୂଚନା ବିଶ୍ବସ୍ତ ସୂତ୍ରରୁ ମିଳିଛି। ରେଳ ମନ୍ତ୍ରଣାଳୟ କିମ୍ବା ପୂର୍ବତଟ ରେଳପଥ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ସାରା ଦେଶରେ ଏବେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ରେଳ ବିଭାଗର ପୂର୍ବ ସୂଚନା ଅନୁଯାୟୀ, ଏହି ଟ୍ରେନ୍ ପ୍ରତିଦିନ ସକାଳ ୬ଟା ୧୦ରେ ଏହି ସେମୀ ହାଇସ୍ପୀଡ୍ ଟ୍ରେନ୍ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିବ। ସକାଳ ୭ଟା ୩୮ରେ ଖଡ଼ଗପୁରରେ, ୯ଟା ୪୫ରେ ଭଦ୍ରକ, ୧୦ଟା ୨୫ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍‌ ଅତିକ୍ରମ କରି ୧୨ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବ। ପରେ ଅପରାହ୍‌ଣ ୧ଟା ୫୦ରେ ‌ପୁରୀରୁ ହାଓ୍ୱଡା ଅଭିମୁଖେ ବାହାରି ରାତି ୮ଟା ୩୦ ସୁଦ୍ଧା ପହଞ୍ଚିବ।

ଏହି ଟ୍ରେନର କୋଚ, ଯେଉଁଥିରେ ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ରହିଛି, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଏଗଜିକ୍ୟୁଟିଭ୍ କ୍ଲାସର ରୋଟେଶନାଲ୍ ସିଟ୍ ଆଦି ଅତ୍ୟାଧୁନିକ ସେବା ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୦୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି।  ୧୮୦ କି.ମି ପ୍ରତି ଘଣ୍ଟା ବେଗରେ ଦୌଡୁଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଓଡ଼ିଶାରେ ଏହାର ପ୍ରଚଳନ ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହେବା ନିଶ୍ଚିତ।

Comments are closed.