Latest Odisha News

BREAKING NEWS

ପାକିସ୍ତାନରେ ୨୦ ଛେଳି ଜୀବନ୍ତ ଜାଳିଦେଲେ ବିକ୍ଷୋଭକାରୀ; ଅଧରାତିରେ ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ସମେତ ୩ ଗିରଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଅଶାନ୍ତ ହୋଇପଡିଛି ଦେଶ । ଇମ୍ରାନ ସମର୍ଥକମାନେ ସାରା ଦେଶରେ ପୋଡାଜଳା, ହିଂସା ସୃଷ୍ଟି କରୁଛନ୍ତି । ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି ।  ପଞ୍ଜାବ, ପଖତୁନଖ୍ୱା ଏବଂ ଇସଲାମବାଦରେ ପରିସ୍ଥିତିକୁ ନିୟନ୍ତ୍ରଣ କରବା ପାଇଁ ବ୍ୟାପକ ସେନା ମୁତୟନ କରାଯାଇଛି । ପେଶବାରରେ ରେଡିଓ ପାକିସ୍ତାନ କୋଠାକୁ ଜଳାଇ ଦେଇଛନ୍ତି । ଏହାବ୍ୟତୀତ ଦେଶର ଅନେକ ସ୍ଥାନରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରି ଦେଇଛନ୍ତି ।

ଅନେକ ସ୍ଥାନରେ ଦୋକାନରେ ଲୁଟପାଟ କରୁଛନ୍ତି ଇମ୍ରାନ ସମର୍ଥକ । ପେଶବାର ପୋଲିସର କହିବା ଅନୁଯାୟୀ, ପ୍ରାୟ ୨୦ ଛେଳିକୁ ଜୀବନ୍ତ ଦଗ୍ଧ କରିବା ସହ ଅନେକ ଛେଳିକୁ ବିକ୍ଷୋଭକାରୀମାନେ ଚୋରାଇ ନେଇ ଯାଇଛନ୍ତି । ଏ ନେଇ ଏକ ଏଫଆଇଆର ରୁଜୁ ହୋଇଛି  । ଏଫଆଇଆର ଅନୁଯାୟୀ, ଛେଳି ଚୋରାଇ ନେଇଥିବା ଲୋକ ପିଟିଆଇର କର୍ମକର୍ତ୍ତା ।

ଏହା ପୂର୍ବରୁ ଏମାନେ ମୟୂର ଏବଂ ଷ୍ଟ୍ରବେରୀ ଚୋରାଇ ନେଇଥିବା ଅଭିଯୋଗ ଆସିଥିଲା । ପିଟିଆଇ ସମର୍ଥକମାନେ ସାରା ଦେଶରେ ଲୁଟପାଟ ଚଳାଇଛନ୍ତି । ଇତି ମଧ୍ୟରେ ଦେଶରେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଲାଣି । ଅତିକମରେ ୩୦୦ ଲୋକ ଆହତ ହୋଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଟିଆଇର ବରିଷ୍ଠ ଉପାଧ୍ୟକ୍ଷ ଫବାଦ ଚୌଧୁରୀ, ପୂର୍ବତନ ବିଦେଶ ମନ୍ତ୍ରୀ ମହମୁଦ କୁରେସୀ, କେନ୍ଦ୍ର ମହାସଚିବ ଅସଦ ଅମରଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ଥିତି ବିଗିଡୁଥିବା ଦେଖି ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଇମ୍ରାନ କ୍ଷମତାରେ ଥିଲେ ସେତେବେଳେ କେବଳ ଅଭିଯୋଗ ଉପରେ ଗିରଫ କରାଯାଉଥିଲା। ଆମେ କିନ୍ତୁ ଏହା କରୁନାହୁଁ। ଆମେ ପ୍ରତିଶୋଧର ରାଜନୀତି କରୁନାହୁଁ। ଆମେ ଆଇନର ସାମ୍ନା କରିବାକୁ ମନା କରିନାହୁଁ। ଆମେ ସବୁବେଳେ କୋର୍ଟରେ ହାଜର ହୋଇଥାଉ।  ସେ କହିଛନ୍ତି ଯେ ଏକ ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ସେମାନେ ଏକ ସିଲ୍ ହୋଇଥିବା ଲଫାଫା ଦେଖାଇ ୬୦ ବିଲିୟନ ଟଙ୍କା ଦୁର୍ନୀତି କରିଥିଲେ। ଏହା ସହିତ  ଶେହବାଜ ସରିଫ କହିଛନ୍ତି ଯେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଠିକ୍ ନୁହେଁ। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ହେଉଛି ଆତଙ୍କବାଦ।

Comments are closed.