ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ କୌଣସି ମାମଲାରେ ମେ ୧୭ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ।
କୋର୍ଟରେ ଶୁଣାଣି ସମୟରେ ପିଟିଆଇ ସମର୍ଥକମାନେ ହୋ ହାଲ୍ଲା କରିଥିଲେ। ଇମ୍ରାନ ଖାନଙ୍କ ମାମଲାର ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠ ଏହି ସମୟରେ ଉପସ୍ଥିତ ଥିଲେ।
ଶୁଣାଣି ପୂର୍ବରୁ ଇମ୍ରାନ ଖାନ ପୋଲିସ ଧାଡିରେ ବସିଥିଲେ। ପ୍ରବଳ ସୁରକ୍ଷା ମଧ୍ୟରେ ତାଙ୍କୁ ଇସଲାମାବାଦ କୋର୍ଟକୁ ନିଆଯାଇଥିଲା। ଏହି ସମୟରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଇସଲାମାବାଦର ଶ୍ରୀନଗର ରାଜପଥ ବନ୍ଦ କରିଦେଇଥିଲେ। ଇସଲାମାବାଦ ହାଇକୋର୍ଟରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଅଲ-କାଦିର ଟ୍ରଷ୍ଟ ମାମଲାର ଶୁଣାଣି ସମୟରେ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସହ ଯାହା ଘଟିଲେ ମଧ୍ୟ ସେ ଦେଶ ଛାଡିବେ ନାହିଁ। ଏହାପୂର୍ବରୁ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରୁ ପାକ ରେଞ୍ଜର୍ସ ଦଳ ଗିରଫ କରିଥିଲା। ଗିରଫ ପରେ ବିରୋଧ ଆରମ୍ଭ ହୋଇଥିଲା, ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ପିଟିଆଇ ସମର୍ଥକ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଥିଲେ। ଏହା ପରେ ଗତକାଲି (ଗୁରୁବାର) ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ବେଆଇନ ବୋଲି କହି ଇମ୍ରାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନ୍ତ୍ରୀମାନେ ଇମ୍ରାନ ଖାନଙ୍କୁ ମୁକ୍ତି କରିବା ଆଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ନୱାଜ ସରିଫ ସୁପ୍ରିମକୋର୍ଟର ବିଚାରପତିଙ୍କୁ କହିଛନ୍ତି ଯେ ଆଜି ପାକିସ୍ତାନ ଜଳୁଥିବା ବେଳେ ଆସନ୍ତାକାଲି ଆପଣଙ୍କ ଘର ଜଳିଯିବ। କୋର୍ଟ ଜଣେ ଅପରାଧୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମାମଲାର ଶୁଣାଣି ଚାଲିଥିବା ବେଳେ ସେହି ସମୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କ୍ୟାବିନେଟ ବୈଠକ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଇମ୍ରାନ ଖାନଙ୍କ ବିରୋଧରେ ଶହ ଶହ ମାମଲା ଚାଲିଛି, ଯେଉଁଥିପାଇଁ ସରକାର ତାଙ୍କୁ ବିଭିନ୍ନ ମାମଲାରେ ଗିରଫ କରିବାକୁ ଚାହୁଁଛନ୍ତି।
Comments are closed.