Latest Odisha News

BREAKING NEWS

ଅଜ୍ଞାତ ସୂତ୍ରରୁ ବିଜେଡିର ମୋଟ ଆୟ ୯୪.୭ ପ୍ରତିଶତ; ଦ୍ବିତୀୟ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସର୍ବୋଚ୍ଚ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ୨୦୨୧-୨୨ ଆର୍ଥିକ ବର୍ଷରେ ଶୀର୍ଷ ପାଞ୍ଚଟି ଆଞ୍ଚଳିକ ଦଳ ମଧ୍ୟରେ ଅଜ୍ଞାତ ଉତ୍ସରୁ ପାଣ୍ଠି ପାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ସମୟ ମଧ୍ୟରେ ବିଜେଡି ଅଘୋଷିତ ସୂତ୍ରରୁ ୨୯୧.୦୯୬ କୋଟି ଟଙ୍କାର ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଛି।

ତାମିଲନାଡୁର ଶାସକ ଦଳ ଡିଏମକେ ୩୦୬.୦୨୫ କୋଟି ଟଙ୍କା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ୧୫୩.୦୩୭ କୋଟି ଟଙ୍କା ସହ ବିଜେଡିକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିଛି। ଓ୍ୱାଇଏସଆର କଂଗ୍ରେସ ଦଳ ୬୦.୦୧୬୮ କୋଟି ଟଙ୍କା ପାଇଥିବା ବେଳେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ୪୮.୩୬୧୭ କୋଟି ଟଙ୍କା ପାଇଛି।

ଏଡିଆର ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳଗୁଡ଼ିକର ମୋଟ ଆୟ ୧୧୬୫.୫୭୬ କୋଟି ଟଙ୍କା ରହିଛି। ଏହି ରାଶି ମଧ୍ୟରୁ ୮୮୭.୫୫୧ କୋଟି ଟଙ୍କା, ଯାହାର ପରିମାଣ ୭୬.୧୪୭%, ଅଜଣା ଉତ୍ସରୁ ଆସିଛି।

ଉଲ୍ଲେଖଯୋଗ୍ୟ, ଅଜଣା ସୂତ୍ରରୁ ଆସିଥିବା ପାଣ୍ଠିର ୯୩.୨୬% ବା ୮୨୭.୭୬ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡରୁ ସଂଗ୍ରହ କରାଯାଇଛି। ଅନ୍ୟ ଅଜ୍ଞାତ ଉତ୍ସଗୁଡ଼ିକରେ କୁପନ ବିକ୍ରି ମାଧ୍ୟମରେ ଦାନ, ରିଲିଫ୍ ପାଣ୍ଠି, ବିବିଧ ଆୟ, ସ୍ୱେଚ୍ଛାକୃତ ଯୋଗଦାନ ଅନ୍ତର୍ଭୁକ୍ତ ରହିଛି। ତେବେ ଏହି ସ୍ୱେଚ୍ଛାକୃତ ଦାନ ସହିତ ଜଡିତ ଦାତାମାନଙ୍କର ନିର୍ଦ୍ଦିଷ୍ଟ ବିବରଣୀ ଜନସାଧାରଣଙ୍କ ପାଇଁ ଅଜ୍ଞାତ ରହିଛି।

ବିଜେଡି କ୍ଷେତ୍ରରେ ମୋଟ ୩୦୭.୨୮୮ କୋଟି ଟଙ୍କା ଆୟ ମଧ୍ୟରୁ ୨୯୧ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ସ୍ୱେଚ୍ଛାକୃତ ଭାବେ ମିଳିଛି। ଉଲ୍ଲେଖଯୋଗ୍ୟ, ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାନ ବାବଦରେ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ। ଏହାବ୍ୟତୀତ ବ୍ୟାଙ୍କ ସୁଧ ମାଧ୍ୟମରେ ବିଜେଡି ୧୬.୧୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସୂତ୍ରରୁ ୧୧ ଲକ୍ଷ ଟଙ୍କା ଆୟ କରିଛି, ଯାହା ଦଳର ମୋଟ ଆୟରେ ଯୋଗଦାନ।

Comments are closed.