Latest Odisha News

BREAKING NEWS

ଯୁବକ ନିଜ କେଶରେ ୱିଗ୍ ତିଆରି କରି ମାଆକୁ ଦେଲେ ଉପହାର

ନ୍ୟୁୟର୍କ: ଦୁଇଦିନ ତଳେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । କେହି କେହି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ନିଜ ମାଆଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ତାଙ୍କ ମାଆଙ୍କୁ ଏପରି ଉପହାର ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।

ଆମେରିକାର ଆରିଜୋନାରେ ରୁହନ୍ତି ୬୧ ବର୍ଷୀୟା ମହିଳା ମେଲାନି ଶାହା । ତାଙ୍କ ପିଟୁଇଟର ଗ୍ରନ୍ଥିର ମସ୍ତିଷ୍କରେ ଟ୍ୟୁମର ହୋଇଛି । ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ ଅନୁଯାୟୀ, ପିଟୁଇଟର ଗ୍ରନ୍ଥି ହେଉଛି ଏକ ଛୋଟ ଅଙ୍ଗ,ଯାହା ମସ୍ତିଷ୍କର ମୂଳ ସହିତ ସଂଯୁକ୍ତ । ଏହା ହରମୋନ୍ ତିଆରି କରିଥାଏ । ଏହା ଲୋକଙ୍କର ବୃଦ୍ଧି ଏବଂ ସ୍ମରଣଶକ୍ତି ବଢାଇଥାଏ । ଟ୍ୟୁମର ହଟାଇବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ କିନ୍ତୁ କିଛି ମାସ ପରେ ଏହା ପୁଣି ଲେଉଟିଥିଲା । ଡାକ୍ତରମାନେ ପୁନର୍ବାର ଦୁଇଥର ଅପରେସନ୍ କରିଥିଲେ । ହେଲେ କିଛି ସୁଫଳ ମିଳି ନ ଥିଲା । ନିରନ୍ତର ଚିକିତ୍ସା ହେତୁ ମହିଳାଙ୍କ ମୁଣ୍ଡରୁ ସମସ୍ତ କେଶ ଝଡ଼ି ଯାଇଥିଲା ।

ଏବେ ମଦରର୍ସ ଡ଼େରେ ମେଲାନିଙ୍କ ପୁଅ ମ୍ୟାଟ୍ ନିଜ କେଶରେ ଏକ ୱିଗ୍ ତିଆରି କରି ମାଆଙ୍କୁ ଉପହାର ଦେଇଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିବା ସହ ମ୍ୟାଟ୍‌ଙ୍କୁ ପ୍ରଶଂସା କରିଛନ୍ତି ।
ମେଲାନି କହିଛନ୍ତି, ମୁଁ ନିଜକୁ କେବେ ଅସୁସ୍ଥ ମନେ କରେ ନାହିଁ । ମୁଁ ଲୋକମାନଙ୍କୁ ଭେଟିବାକୁ ଏବଂ କଥାବାର୍ତ୍ତା କରିବାକୁ ପସନ୍ଦ କରେ । ଦିନେ ଆମେ ରାତ୍ରି ଭୋଜନ କରୁଥିଲୁ । ସେହି ସମୟରେ ମୋ ପୁଅ ମ୍ୟାଟ ଥଟ୍ଟାରେ କହିଥିଲେ, ମୁଁ ତୁମକୁ ୱିଗ୍ କରିବା ପାଇଁ କେଶ ବଢାଇବି? ହେଲେ ସେତେବେଳେ ତାଙ୍କ କଥାକୁ ଆମେ କେହି ଗୁରୁତ୍ୱ ନ ଦେଇ ହସରେ ଉଡ଼ାଇ ଦେଇଥିଲୁ । ଏବେ ସେ ଏପରି କରି ଦେଖାଇଛି । ସେ ଅଢେଇ ବର୍ଷ ପର୍ଯ୍ୟନ୍ତ କେଶ ମଧ୍ୟ କାଟି ନ ଥିଲେ । ତା’ପରେ ଦିନେ ସେ କେଶ କାଟିଲେ ଏବଂ ସମସ୍ତ କେଶକୁ କାଲିଫର୍ନିଆର ଏକ ଶୋ’ରୁମକୁ ପଠାଇଲେ । ଯେଉଁଠାରେ ୱିଗ୍ ତିଆରି କରାଯାଏ । ୱିଗ୍‌ର ମୂଲ୍ୟ ପ୍ରାୟ ୨୦୦୦ ଡଲାର ଥିଲା ।

ମେଲାନି କହିଛନ୍ତି, ଏହାର ରଙ୍ଗ ଅତ୍ୟନ୍ତ ଚମତ୍କାର । ସବୁଠାରୁ ଖୁସିର କଥା ହେଉଛି ଏହା ମୋ ପୁଅର କେଶ, ଯାହା ମୋତେ ସବୁବେଳେ ମନେ ପକାଇଥାଏ । ମେଲାନି ଏବଂ ମ୍ୟାଟଙ୍କ କାହାଣୀ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

Comments are closed.