ଦକ୍ଷିଣ କୋରିଆ: ଯଦି ଆପଣ କେବେ ବିମାନରେ ବସିଥିବେ, ତେବେ ଆପଣ ନିଶ୍ଚୟ ଦେଖିଥିବେ ବିମାନ ଅବତରଣ କରିବା ପୂର୍ବରୁ ଏୟାର ହୋଷ୍ଟେସ୍ ଲୋକଙ୍କୁ ବୁଝାନ୍ତି ଯେ, ବିମାନରେ କେତେ ଦ୍ୱାର ଅଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେହି ଦ୍ୱାର କିପରି ଖୋଲିବେ । କିନ୍ତୁ ଦକ୍ଷିଣ କୋରିଆର ଏକ ବିମାନରେ ଜଣେ ଯୁବକ ଜରୁରୀକାଳୀନ ଦ୍ୱାର ଖୋଲିବାରୁ ଏପରି ପରିସ୍ଥିତି ହେଲା ଯେ, ଲୋକେ ଭୟଭୀତ ହୋଇପଡ଼ିଲେ ।
ଏସିଆନା ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ୧୯୪ ଯାତ୍ରୀଙ୍କୁ ନେଇ ଜେଜୁ ଦ୍ୱୀପରୁ ଉଡ଼ାଣ କରିଥିଲା । ବିମାନଟି ଦକ୍ଷିଣ କୋରିଆର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରୁଥିବାବେଳେ ହଠାତ୍ ଜଣେ ଯାତ୍ରୀ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେଇଥିଲେ । ଫଳରେ ଯାତ୍ରୀମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ପବନ ଏତେ ଜୋରରେ ଭିତରେ ପଶିଥିଲା ଯେ, ଲୋକଙ୍କ ଡ଼୍ରେସ ଜୋରରେ ଉଡ଼ୁଥିବା ଦେଖିବାକୁ ମିଳିଛି । ବିମାନ ଅବତରଣ କରୁଥିବାରୁ ବିମାନ କର୍ମଚାରୀମାନେ ମଧ୍ୟ ଦ୍ୱାର ବନ୍ଦ କରିବା ସମ୍ଭବ ହୋଇ ନ ଥିଲା । କାରଣ ବିମାନଟି ସେତେବେଳେ ଭୂମିଠାରୁ ୨୫୦ ମିଟର ଉଚ୍ଚରେ ଥିଲା । ଏହାକୁ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲା । ବିମାନରୁ ଓହ୍ଲାଇବା ମାତ୍ରେ ହିଁ ପୋଲିସ ତାଙ୍କୁ ଗିରଫ କରିଥିଲା ।
Comments are closed.