Latest Odisha News

BREAKING NEWS

ପାମ୍‌ ଚାଷ ପାଇଁ ୬ଟି କମ୍ପାନୀ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର: ରାଜ୍ୟ ସରକାର ୬ଟି କମ୍ପାନୀ ସହ ବୁଝାମଣାପତ୍ର (MOU) ସ୍ୱାକ୍ଷର କରି ପାମ ତେଲ ଚାଷ କରିବା ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପାମ ଅଏଲ୍‌ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମା ରାଜ୍ୟର ପାଖାପାଖି ୨୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ତୈଳ କମ୍ପାନୀଗୁଡ଼ିକୁ ସହାୟତା ପ୍ରଦାନ କରିବ।

ବୁଝାମଣାପତ୍ର ଅନୁଯାୟୀ ଆବଣ୍ଟିତ କରାଯାଇଥିବା ଜିଲ୍ଲାରେ ଉକ୍ତ କମ୍ପାନୀଗୁଡ଼ିକ ବିହନ ବଗିଚା ପ୍ରତିଷ୍ଠା, ନର୍ସରୀ ସ୍ଥାପନ ମାଧ୍ୟମରେ ଅଏଲ୍‌ ପାମ୍‌ ଚାରାର ଉତ୍ପାଦନ, କ୍ଷେତ୍ର ସଂପ୍ରସାରଣ କରିବା ସହିତ ଅତି କମ୍‌ରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଅଏଲ୍‌ ପାମ୍‌ ତେଲ ଉତ୍ପାଦନ କାରଖାନା ସ୍ଥାପନ କରିବେ।

୨୦୨୧-୨୨ ମସିହାରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ ହଜାର ୫୦୦ ହେକ୍ଟର ଜମିରେ ଅଏଲ୍‌ ପାମ୍‌ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯୫୦ ହେକ୍ଟର ଜମିରେ ଅଏଲ୍‌ ପାମ୍‌ ଚାଷ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୧୧୦୦ ହେକ୍ଟର ଏବଂ ଆଗାମୀ ଦୁଇ ବର୍ଷରେ ୫ ହଜାର ହେକ୍ଟର ଜମିରେ କ୍ଲଷ୍ଟର ଭିତ୍ତିରେ ଅଏଲ୍‌ ପାମ୍‌ ଚାଷ କରିବା ପାଇଁ ଯୋଜନା ରହିଛି।

୨୦୦୬-୦୭ ମସିହାରୁ ଓଡ଼ିଶା ୧୫ଟି ଜିଲ୍ଲାର ପ୍ରାୟ ୧୯ ହଜାର ହେକ୍ଟର ଜମିରେ ୬ଟି ତୈଳ ଓ ପାମ କମ୍ପାନୀର ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି।

ଅଏଲ ପାମ ଡେଭଲପମେଣ୍ଟ ପ୍ରୋଗ୍ରାମର ସଫଳତା ପାଇଁ ରାଜ୍ୟ ସରକାର ବୃକ୍ଷରୋପଣକୁ ସୁରକ୍ଷା ଦେବା ପାଇଁ ବାଡ଼ ବ୍ୟବସ୍ଥା କରିବେ। ଏହାବ୍ୟତୀତ, କ୍ଷୁଦ୍ର ଜଳସେଚନ ପଦକ୍ଷେପ ସହିତ ମକା, ବାଜରା, ପନିପରିବା, କଦଳୀ ଏବଂ କପା ଭଳି ବିଭିନ୍ନ ଫସଲର ଆନ୍ତଃଫସଲ ଚାଷକୁ ପ୍ରୋତ୍ସାହିତ କରାଯିବ।

କେନ୍ଦ୍ର ପ୍ରାୟୋଜିତ ‘ଏନଏମଇଓ-ଓପି’ (ଜାତୀୟ ଖାଦ୍ୟଶସ୍ୟ ମିଶନ୍ ଅନ୍ ଏଡିବଲ୍ ଅଏଲ୍-ତେଲ ପାମ୍) ଯୋଜନାରେ ରାଜ୍ୟର ଚାଷୀମାନେ ବୃକ୍ଷରୋପଣ ସମୟରେ ହେକ୍ଟର ପିଛା ୨୯ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ। ଅମଳ ହୋଇଥିବା ତାଜା ଫଳର ଗୁଚ୍ଛକୁ କମ୍ପାନୀଗୁଡ଼ିକ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ସରକାରଙ୍କ ଦ୍ୱାରା ଘୋଷିତ ମୂଲ୍ୟରେ କିଣିବେ।

ସୂଚନାଯୋଗ୍ୟ, ୨୦୨୦-୨୧ରେ ଭାରତ ପାଖାପାଖି ୧୩୩.୫୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନୀ କରିଥିଲା। ଖାଇବା ତେଲ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏନଏମଇଓ-ଓପି ଯୋଜନା ଆରମ୍ଭ କରିଛନ୍ତି।

Comments are closed.