Latest Odisha News

BREAKING NEWS

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ ଏ ଯାଏ ନିଖୋଜ ଆତ୍ମୀୟଙ୍କୁ ଅନେକ ଆଶା ନେଇ ଖୋଜୁଛନ୍ତି ।

ଏପରି ସ୍ଥିତିରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା ।  ଧାରକରଜ କରି ଝିଅ ବାହାଘର କରିଥିଲେ । ସେ ଋଣ ମୁଣ୍ଡ ଉପରେ ବୋଝ ହୋଇଥିଲା । କେମିତି ସେ ଋଣ ଶୁଝିବେ ଭାବି ନ ପାରି ବାହାରିଥିଲେ ସୁଦୂର ଚେନ୍ନାଇ ଯିବାକୁ । ସେଠାରେ କାମ କରିବେ.. ଋଣ ଶୁଝିବେ । ହେଲେ ଏମିତି ମୃ୍ତ୍ୟୁ ତାଙ୍କୁ ଡାକିନେବ ବୋଲି କିଏ ଜାଣିଥିଲା ! ଏ ଦୁଃଖଦ ଖବର ନୀଳିଗିରି ମୁଖି ସାହିର ।

ମୁଖୀ ସାହିର କୁନା ମୁଖି ପତ୍ନୀଙ୍କୁ କହି ଯାଇଥିଲେ, ‘ତୁ ବ୍ୟସ୍ତ ହେବୁନି । ମୁଁ ଚେନ୍ନାଇ ଯାଉଛି । କାମ କରି ସବୁ ଋଣ ଶୁଝିଦେବି ।’ ହେଲେ ଋଣ ସୁଝିବେ କ’ଣ ସଂସାର ଉଜାଡି ଦେଇ ଚାଲିଗଲେ ।  ଗତ ଶୁକ୍ରବାର ସନ୍ଧ୍ୟାରେ   କରମଣ୍ଡଳ ଟ୍ରେନରେ ଚେନ୍ନାଇ ବାହାରିଥିଲେ। କିଛି ସମୟ ପରେ ରେଳ ଦୁର୍ଘଟଣା  ଖବର ଆସିଲା। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି କୁନାଙ୍କୁ ଗୁରୁତର ହୋଇଥିବା ଜାଣିବାକୁ ପାଇଥିଲେ ।  ପରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତି ହୋଇଥିବା ସୂଚନା ପାଇଲେ। ସେଠାରେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।

ଘରେ ବୁଢୀ ମା’, ପତ୍ନୀ ଏବଂ ଛୋଟ ପୁଅ ମୁଣ୍ଡପିଟି କାନ୍ଦୁଛନ୍ତି । ରୋଜଗାରିଆ ମଣିଷକୁ ହରାଇବା ପରେ ଘର କେମିତି ଚଳେଇବେ ପତ୍ନୀଙ୍କ ଆଖିରୁ ନିଦ ହଜି ଯାଇଛି ।

Comments are closed.