ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଅନେକ ଆଶା ଓ ନିରାଶାର କାହାଣୀ ସାମ୍ନାକୁ ଆସିଛି। ଗତ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅଂସଖ୍ୟ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି।
କିଛି ପରିବାର ନିଜ ସମ୍ପର୍କୀୟଙ୍କୁ ହରାଇ ଶୋକାକୁଳ ହୋଇପଡିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ନିଖୋଜ ଥିବା ପରିବାରର ସଦସ୍ୟଙ୍କୁ ଖୋଜିବା ଆଶାରେ ଖୋଜାଖୋଜି ଜାରି ରଖିଛନ୍ତି।
ଏକ ହୃଦୟ ବିଦାରକ ଘଟଣାକ୍ରମରେ ବିହାରର ଦୁଇ ଜଣ ବ୍ୟକ୍ତି ଟିଭିରେ ଉଦ୍ଧାର କାର୍ଯ୍ୟ ସମୟରେ ନିଜ ପ୍ରିୟଜନଙ୍କ ଦୃଶ୍ୟ ଦେଖିବା ପରେ ଓଡ଼ିଶା ଆସିଛନ୍ତି। ବାଲେଶ୍ୱରରୁ କଟକ ପର୍ଯ୍ୟନ୍ତ ଡାକ୍ତରଖାନା ଗୁଡିକରେ ଖୋଜାଖୋଜି କରୁଥିଲେ ମଧ୍ୟ ସେମାନଙ୍କ ନିଖୋଜ ସମ୍ପର୍କୀୟଙ୍କ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିନାହିଁ। ପରିବାରର ଜଣେ ସଦସ୍ୟ ଗୋଟିଏ ମୃତଦେହକୁ ଚିହ୍ନଟ କରି ଦାବି କରିବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ପାଞ୍ଚ ଜଣଙ୍କ ପତ୍ତା ମିଳୁନାହିଁ।
‘ମୁଁ ମୋବାଇଲରେ ଭିଡିଓ ଦେଖିଥିଲି। ମୁଁ ସ୍କ୍ରିନସଟ୍ ନେଇ ଆମ ସଦସ୍ୟମାନଙ୍କୁ ଚିହ୍ନଟ କଲି। ମୁଁ ଓଡ଼ିଶା ଆସି ଭୁବନେଶ୍ୱର ଏମ୍ସରେ ଗୋଟିଏ ମୃତଦେହ ପାଇଥିଲି। କିନ୍ତୁ ଅନ୍ୟ ପାଞ୍ଚଜଣଙ୍କ ବିଷୟରେ ଆମକୁ ସୂଚନା ମିଳୁନାହିଁ’ ବୋଲି ବିହାରର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ତାଙ୍କ କହିବାନୁସାରେ, ସେ ନିଖୋଜ ପାଞ୍ଚ ଜଣଙ୍କ ଭିଜୁଆଲ ଓ ଭିଡିଓ କ୍ଲିପ୍ ଦେଖିଥିଲେ। ବାଲେଶ୍ୱର, ସୋର, ଭଦ୍ରକ, କଟକରେ ଖୋଜିଲି। ଭୁବନେଶ୍ୱରରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କ ଫଟୋ ଦେଖି ସେମାନଙ୍କ ପରିଚୟ ସୁନିଶ୍ଚିତ କରିଥିଲେ। କିନ୍ତୁ ଶବକୁ ବିହାର ପଠାଯାଇଛି। ଆମେ ଆଶା କରୁଛୁ ଯେ ଅନ୍ୟମାନେ ଜୀବିତ ଅଛନ୍ତି ଏବଂ ବୋଧହୁଏ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବେ।
ବିହାରର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହନଓ୍ୱାଜ୍ ଆଲାମ୍ କହିଛନ୍ତି, ଏହି ଦୁର୍ଘଟଣାରେ ବିହାରର ପ୍ରାୟ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୪୪ ଜଣ ଆହତ ହୋଇଥିବା ବେଳେ ୮୮ ଜଣ ନିଖୋଜ ଅଛନ୍ତି।
ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ଗସ୍ତରେ ଆସି ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ମିଳିତ ଉଦ୍ୟମରେ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗର ପ୍ରାୟ ୧୦୩ଟି ମୃତଦେହ ଚିହ୍ନଟ ହୋଇଛି, ୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୧ ଜଣ ନିଖୋଜ ଅଛନ୍ତି।
Comments are closed.