ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଏକ ବେଆଇନ ପଥର ଖାଦାନରେ ଦୁଇ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଲୋକାୟୁକ୍ତ ନିଜଆଡୁ ଗ୍ରହଣ କରି ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଓ୍ୱାଙ୍କୁ ଦୁଇ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମେ ୩୧ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ଲୁଣିବାରାରେ ଏହି ଘଟଣା ଘଟିଥିଲା। ଜଣେ ଠିକାଦାର କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକ ଅନୁମତି ନ ନେଇ ପଥର ଖନନ ପାଇଁ ଏକାଧିକ ଶ୍ରମିକ ଓ ଖନନକାରୀଙ୍କୁ ନିୟୋଜିତ କରିଥିଲେ।
ଦୁଇ ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଶାନ୍ତନୁ ଖିଲାର (୨୮) ଓ ଯାଜପୁର ଗେଙ୍ଗୁଟିଆ ଗାଁର ହେଲପର ଅପୁ ରାଉତ(୧୬)। ଏହି ଦୁଇ ଶ୍ରମିକ ଖଣି ଅଞ୍ଚଳରେ କାମ କରୁଥିଲେ। ମାଟି ଖେଳିବାକୁ ନିୟୋଜିତ ଥିବା ପୋକଲିନ ମେସିନରେ ଏମାନେ ନିୟୋଜିତ ଥିଲେ। ଏହି ମେସିନଟି ୫୦ ଫୁଟ ତଳକୁ ଖସିବାରୁ ଏଥିରେ ଥିବା ଅପରେଟର ଓ ହେଲପରର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବହୁ ଚେଷ୍ଟା ପରେ ମଧ୍ୟ ମେସିନ୍ ଅପରେଟରଙ୍କୁ ଡାକ୍ତର ବଞ୍ଚାଇପାରିନଥିଲେ। ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ହେଲପରଙ୍କୁ ଅଧିକ ଚିକିତ୍ସା ପାଇଁ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେ ମଧ୍ୟ ଶେଷରେ ଆଖି ବୁଜିଥିଲେ।
ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦିଆଯିବା ପରେ ପୁଲିସ ଓ ତହସିଲଦାର ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ କେଉଁ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ଖଣି ଅଞ୍ଚଳରେ କିଭଳି ଜଣେ ନାବାଳକ କାମ କରୁଥିଲା ଏବଂ କିଏ ଆଣି ତାଙ୍କୁ କାମରେ ନିୟୋଜିତ କରିଥିଲା ଏ ନେଇ ସେହି ସମୟରେ ଧର୍ମଶାଳା ତହସିଲଦାର ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Comments are closed.