ହରିୟାଣା: ମହଙ୍ଗା ଯୁଗରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଡାଲି ଏବଂ ପନିପରିବା ସବୁକିଛିର ମୂଲ୍ୟ ବୃଦ୍ଧି ପାଉଛି । କ୍ଷୀର ଏବଂ କଦଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏବେ ବଜାରରେ ୧ ଲିଟର କ୍ଷୀରର ମୂଲ୍ୟ ପ୍ରାୟ ୬୦ ଟଙ୍କା ହେଲାଣି । ଗାଁଗୁଡ଼ିକରେ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୪୦ ରୁ ୫୦ ଟଙ୍କା । କିନ୍ତୁ ଏହି ମହଙ୍ଗା ଯୁଗରେ ଯଦି କେହି ଆପଣଙ୍କୁ ମାଗଣାରେ କ୍ଷୀର ଏବଂ ଲସି ଦିଅନ୍ତି, ତେବେ ଆପଣ କ’ଣ ଭାବିିବେ? ଆମେ କୌଣସି ସଂସ୍ଥାର ମହାନ୍ ପଦକ୍ଷେପ ବିଷୟରେ କହୁ ନାହୁଁ । ବରଂ ହରିୟାଣାର ଏକ ଗାଁ ଅଛି ଯେଉଁଠାରେ କ୍ଷୀର ଏବଂ ଲସି ମାଗଣାରେ ମିଳିଥାଏ ।
ହରିୟାଣାର ଭବନୀର ନାଥୁବାସ ଗ୍ରାମରେ ୭୫୦ ଘର ରହିଛି । କିନ୍ତୁ ପ୍ରତ୍ୟେକଙ୍କ ଘରେ ୨ ରୁ ୩ଟି ଲେଖାଏଁ ଗାଈ ବା ବଳଦ ରହିଥାଏ । ତେଣୁ ଏହି ଗାଁରେ କେହି କ୍ଷୀର ବିକ୍ରି କରନ୍ତି ନାହିଁ । ଯଦି କାହାର ଆବଶ୍ୟକ ହୋଇଥାଏ, ସେମାନେ କ୍ଷୀର ପଡୋଶୀଙ୍କଠାରୁ ମାଗଣାରେ ନେଇ ଆସନ୍ତି । ଏଠାରେ କ୍ଷୀର ବିକ୍ରି ନ କରିବାର ଏକ ବିଶ୍ୱାସ ରହିଛି । ଯଦି କେହି କ୍ଷୀର କିମ୍ବା ଲସି ବିକ୍ରୟ କରନ୍ତି, ତେବେ ସେମାନଙ୍କ ଘରେ ଅଶୁଭ ହୋଇଥାଏ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ।
ଗ୍ରାମବାସୀ କହିଛନ୍ତି ଯେ, ୧୫୦ ବର୍ଷ ପୂର୍ବେ ଆମ ଗାଁରେ ଏକ ଭୟଙ୍କର ମହାମାରୀ ଆସିଥିଲା । ଗୋଟିଏ ପରେ ଗୋଟିଏ ପଶୁଙ୍କ ମୃତ୍ୟୁ ହେବାକୁ ଲାଗିଲା । ସେହି ସମୟରେ ଫୁଲପୁରୀ ଗାଁର ଜଣେ ମହନ୍ତ ଜୀବିତ ପଶୁମାନଙ୍କୁ ଏକ ଗଛରେ ବାନ୍ଧି କହିଥିଲେ ଯେ , ଆଜି ପରେ ଗାଁରେ କ୍ଷୀର ବିକ୍ରି ହେବ ନାହିଁ । ପରେ ଗ୍ରାମବାସୀ ମହନ୍ତଙ୍କ କଥା ଅନୁଯାୟୀ କ୍ଷୀର ବିକ୍ରୟ ବନ୍ଦ କରିଦେଇଥିଲେ । ଧୀରେ ଧୀରେ ସବୁକିଛି ଭଲ ହେବାକୁ ଲାଗିଲା । ତେବେ ଗ୍ରାମବାସୀ କହିଛନ୍ତି ଯେ ଏହା ପରେ ଯେତେବେଳେ ବି କେହି ଗାଁରେ କ୍ଷୀର ବିକ୍ରୟ କରିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସେହି ଲୋକଙ୍କ ସହ କିଛି ଅଘଟଣ ଘଟିଥିବା ନଜରକୁ ଆସିଛି । ତେଣୁ କେହି କ୍ଷୀର ବିକ୍ରି କରିବାକୁ ସାହସ କରନ୍ତି ନାହିଁ ।
ଗ୍ରାମବାସୀ ଆହୁରି କହିଛନ୍ତି ଯେ, ଏହା ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ ଯିଏ ଯାହା ଭାବନ୍ତୁ । କିନ୍ତୁ ଦଶନ୍ଧି ଧରି ଗାଁର ପଶୁମାନଙ୍କରେ କୌଣସି ମହାମାରୀ ହୋଇ ନାହିଁ । ଯେତେବେଳେ ବି ଗାଁରେ ବିବାହ ଉତ୍ସବ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହୁଏ ଗାଁ ଲୋକେ ଖୁସିରେ ଆଣି କ୍ଷୀର ମାଗଣାରେ ଦେଇଥାନ୍ତି । ସବୁଠୁ ବଡ଼କଥା, କ୍ଷୀର ବିକ୍ରି ନ କରିବାରୁ ଗାଁର ପିଲାମାନେ ପିଇବା ପାଇଁ ପର୍ଯ୍ୟାପ୍ତ କ୍ଷୀର ପାଇଥାଆନ୍ତି, ଯାହା ଏହି ଗାଁର ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।
Comments are closed.