ପାଇକମାଳ: ମୋଦୀ ସରକାରରେ ପଛୁଆ ଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯାଇଥିବା ବେଳେ ଓବିସି କମିଶନକୁ ସମ୍ବିଧାନ ମାନ୍ୟତା ଦିଆଯାଇଛି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଶାସନ ଏବଂ ପୂର୍ବ ୫ ବର୍ଷ ଏଭଳି ମୋଟ ୨୮ ବର୍ଷ ଶାସନରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରବିବାର ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ଠାରେ ‘ବାବା ବିଶାଶହେ କୁଳ କୁଲତା ସମାଜ ଯୁବ ସଂଗଠନ’ର ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଭୋଗ ମଣ୍ଡପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ ମୋଦି ସରକାରରେ ପଛୁଆ ବର୍ଗଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ପ୍ରଦାନ କରାଯାଇଛି । ମାତ୍ର ଏଠାରେ କୁଲତା ସମାଜ ସମେତ ବହୁ଼ସଂଖ୍ୟକ ସମାଜକୁ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ମିଳୁନାହିଁ । ଓଡ଼ିଶା ସରକାର କୁଲତା ସମାଜ ପାଇଁ ପୁରୀରେ ଜାଗା ଦେଇଛନ୍ତି । କିନ୍ତୁ ଏହି ଜାଗା ନାଁରେ କୁଲତା ସମାଜ ପରି ୫୪ ପ୍ରତିଶତ ପଛୁଆ ଜାତିଙ୍କ କ୍ଷତି ହୋଇଛି । ଲାଞ୍ଚ ଦେଇ ମୂଳ ସ୍ୱାର୍ଥ ତଥା ପଛୁଆ ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସଂରକ୍ଷଣକୁ ଅଣଦେଖା କରାଯାଉଛି । କିନ୍ତୁ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି ବୋଲି ସେ କହିଛନ୍ତି।
ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ମିଳିବା ଦ୍ୱାରା କୁଲତା ସମାଜ ଭଳି ପଛୁଆ ଜାତିର ଲୋକମାନେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥାନ୍ତି । ତେଣୁ ଏହି ବର୍ଗର ଲୋକଙ୍କୁ କିପରି ସେମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯିବ, ସେ ଦିଗରେ ଚେଷ୍ଟା କରିବା ଦରକାର। କଷ୍ଟ ଅର୍ଜିତ ଓ ସମ୍ବିଧାନ ସୁରକ୍ଷା ହାସଲ କରିବା ମୂଳ ବିଷୟ। ବିଶେଷ ଭାବରେ ଯୁବ ସଂଗଠନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗରେ ରହିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
Comments are closed.