ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଗୋଷ୍ଠୀଙ୍କ ବିଷୟରେ ଆଲୋଚନା ପରେ, ଆମେ ଗୋଟିଏ କଥା ଜାଣିବା ନିତାନ୍ତ ପ୍ରୟୋଜନୀୟ ହୋଇପଡିଛି। ତାହା ହେଲା ପ୍ରଭୁଙ୍କର ନୀତିକାନ୍ତି ବିଷୟ। ଆଜିଠାରୁ ଆମେ ଆଲୋଚନା କରିବା ଶ୍ରୀମନ୍ଦିର ନୀତି କଣ କଣ ପାଳିତ ହୁଏ। ଯେଉଁ ନୀତିକୁ ପାଳିତ କରନ୍ତି ବା ସଠିକ ଭାବରେ ଉପସ୍ଥାପିତ କରନ୍ତି ବିଭିନ୍ନ ସେବକମାନେ। ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିର ନୀତି ସମ୍ପର୍କରେ । ଶ୍ରୀମନ୍ଦିରର ନୀତିକୁ ଆମେ ଅନ୍ୟ ପ୍ରକାରେ କହିଲେ ତାହା ନିତ୍ୟ ନୈମିତ୍ତିକ ପୂଜାବିଧି ଭାବରେ ମଧ୍ଯ ଉପସ୍ଥାପିତ କରିହେବ। କାରଣ ଶ୍ରୀମନ୍ଦିରର ନୀତିକୁ ଆମେ ମୁଖ୍ୟତଃ ତିନି ଭାଗରେ ଆଲୋଚନା କରିବା।
୧ . ଶ୍ରୀଜୀଉମାନଙ୍କ ନିତ୍ୟ ନୈମିତ୍ତିକ ପୂଜା ବିଧି ୨ . ପର୍ବ ପର୍ବାଣୀ ଯାନୀଯାତ୍ରାରେ ପାଳନୀୟ ବିଧି୩ . ଆକସ୍ମିକ ଦୁର୍ଘଟଣା ଜନିତ ଅନୁସୃତ ନୀତି ବା ପୂଜା ବିଧି। ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଆସିବଣି ଏହି ସବୁ ନୀତିର ଅବା ପୂଜା ବିଧିର କାର୍ଯ୍ୟପନ୍ଥା କିଏ ନିର୍ଦ୍ଧାରଣ କରିଛି। ତେବେ ଆମେ ଜାଣି ରଖିବା ଉଚିତ ସ୍କନ୍ଦ ପୁରାଣର ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ, ନୀଳାଦ୍ରି ମହୋଦାୟ (ସୂତ ସଂହିତା ), ବାମଦେବ ସଂହିତା, ନୀଳାଦ୍ରି ନାଥ ପୂଜା ବିଧି, ମାଦଳାପାଞ୍ଜି ନୀତି ବିବରଣ ପ୍ରଭୃତିରେ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଛି । ଏହି ସବୁ ବିଧି ବର୍ଣନା ରେ ମୁଖ୍ୟତଃ ଭାରତୀୟମନ୍ଦିର ମାନଙ୍କରେ ଅନୁସୃତ ପାରମ୍ପରିକ ସ୍ମାର୍ତ୍ତ ପୂଜାବିଧି, ସହିତ ନାରଦ ପଞ୍ଚରାତ୍ରରେ ବର୍ଣ୍ଣିତ ବୈଷ୍ଣବ ତନ୍ତ୍ରର ପୂଜାବିଧି ତଥା ଗୌଡିୟ ବୈଷ୍ଣବମାନଙ୍କ କେତେକ ପୂଜାବିଧି ଧାରା ସଂଯୋଗ କରାଯାଇଛି। ସମସ୍ତ ପ୍ରାଚୀନ ପୂଜା ପଦ୍ଧତି କୁ ମଧ୍ଯ ଏଥିରେ ସମନ୍ୱୟ କରାଯାଇ ଏକ ପାଳନୀୟ ପୂଜାବିଧି ନିର୍ଘଣ୍ଟକୁ ଶ୍ରୀମନ୍ଦିର ନୀତି ଭlବରେ ଅଭିହିତ କରାଯାଇଛି। ଆଗାମୀ ଅଧ୍ୟାୟମାନଙ୍କରେ ଆମେ ପ୍ରଥମେ ଦୈନିକ ନୀତି ବା ନିତ୍ୟ ବିଧି ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ମୁଁ ଯାକୁ ହୁଅଇ ସଦୟ
ତାହାର କାହିଁ ଦୁଃଖ ଭୟ ।
ଦେଖଇ ଅନ୍ତର ବାହାରେ
ସକଳ ସୁଖ ସବୁଠାରେ ।
ମୋହର ଭାବେ ଯେ ରମଇ
ତାର ସମ୍ପଦେ କାର୍ଯ୍ୟ ନାହିଁ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.